Categories: ରାୟଗଡା

ପଲିଟେକନିକରେ ଖାଲି ପଡୁଛି ସିଟ୍‌: ପ୍ରଚାର ପ୍ରସାର ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି ଉପାନ୍ତ ଅଞ୍ଚଳର ପିଲା

ଜୟପୁର,୧୦।୬(ଡି.ଏନ୍‌.ଏ.)ଜୟପୁର ବ୍ଲକର ରଣ୍ଡାପାଲୀରେ ରାଜ୍ୟ ସରକାରଙ୍କ ଏକ ସରକାରୀ ପଲିଟେକନିକ ୨୦୧୪ରୁ ପ୍ରତିଷ୍ଠା ହୋଇଛି। କିନ୍ତୁ ଜିଲାର ଉପାନ୍ତ ବ୍ଲକର ଛାତ୍ରୀଛାତ୍ର ପଲିଟେକନିକକୁ ନେଇ ସଚେତନ କିମ୍ବା ଅଜ୍ଞ ରହିଥିବା ଯୋଗୁ ଏହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ସେମାନଙ୍କ ଯୋଗଦାନ କମ୍‌ ରହୁଛି । ଅନୁଷ୍ଠାନଟି ଜୟପୁରର ରଣ୍ଡାପାଲିରେ ଥିଲେ ମଧ୍ୟ କୋରାପୁଟ ଠିକଣା ଦିଆଯାଉଥିବା ଯୋଗୁ ଉପାନ୍ତ ଅଞ୍ଚଳର ଛାତ୍ରୀଛାତ୍ର ଓ ଅଭିଭାବକ କୋରାପୁଟ ସହରରେ ଏହାକୁ ଖୋଜୁଛନ୍ତି। ପ୍ରକାଶ ଯେ, ପଲିଟେକନିକରେ ସିଭିଲ, ମେକାନିକାଲ ଓ ଇଲେକ୍ଟ୍ରିକାଲ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ୬୦ଟି ଲେଖାଏଁ ସିଟ୍‌ ରହିଛି। ୨୦୧୬ରେ ସିଭିଲରେ ୨୯, ମେକାନିକାଲ ୭୫, ଇଲେକ୍ଟ୍ରିକାଲରେ ୪୯ ଜଣ ଥିବାବେଳେ ୨୦୧୭ରେ ସିଭିଲ ୩୬, ମେକାନିକାଲ ୪୬, ଇଲେକ୍ଟ୍ରିକାଲ ୩୩ ସଂଖ୍ୟା ରହିଥିଲା। ୨୦୧୮ରେ ସିଭିଲ ୨୧, ମେକାନିକାଲ ୫୨, ଇଲେକ୍ଟ୍ରିକାଲରେ ୪୩ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ପ୍ରତିଷ୍ଠାନର ଛାତ୍ର ନିବାସରେ ୧୦୦ ଶଯ୍ୟା ରହିଥିଲେ ସୁଦ୍ଧା ୪୦ ଜଣ ଛାତ୍ର ଓ ଛାତ୍ରୀ ନିବାସରେ ୧୦ ଜଣ ଛାତ୍ରୀ ରହୁଛନ୍ତି। ପ୍ରତିଷ୍ଠାନର ଅଧ୍ୟକ୍ଷ କହିଛନ୍ତି, ଜିଲାର ଅଧିକାଂଶ ବ୍ଲକରେ ପ୍ରଚାର ପ୍ରସାର କରାଯାଉଥିଲେ ମଧ୍ୟ କେତେକ ଉପାନ୍ତ ଅଞ୍ଚଳରେ ଏହା ସମ୍ଭବ ହୋଇପାରିନାହିଁ। ଆସନ୍ତା ବର୍ଷ ଜିଲାର ବହୁ ଛାତ୍ରୀଛାତ୍ର ଯୋଗଦେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।