ପରୀକ୍ଷା ସରିବାର ୧୦ଦିନ ପରେ ମିଳିଲା ଆଡମିଟ କାର୍ଡ

ଲୋଇସିଂହା,୨୨।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରଧିଆପାଲି ପୋଷ୍ଟମାଷ୍ଟର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପ୍ରତି ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ପୋଷ୍ଟ ଅଫିସ ଅଧୀନ ପଣ୍ଡକିଟାଲ ଗାଁର ଶଶିକାନ୍ତ ପଧାନ ଏପରି ଅଭିଯୋଗ ଆଣିଛନ୍ତି। ଏକ ପରୀକ୍ଷାର ସରିବା ୧୦ ଦିନ ପରେ ବୁଧବାର ତାଙ୍କୁ ଆଡମିଟ କାର୍ଡ ଦେଇଥିବା ଅଭିଯୋଗ କରିଛନ୍ତି। ତାହା ପୁଣି ଜଣେ ନାବାଳକଙ୍କ ହାତରେ ପଠାଯାଇଥିବା ଶଶିକାନ୍ତ ଅଭିଯୋଗ କରିଛନ୍ତି। ବଲାଙ୍ଗୀର ମୁଖ୍ୟ ଶାଖାକୁ ଯିବାକୁ ଅଭିଯୋଗ କରିଯିବାକୁ କହି ଲୋଇସିଂହା ଶାଖା ପୋଷ୍ଟ ମାଷ୍ଟର ଦିଲୀପ ମହାପାତ୍ର ଅଭିଯୋଗ ରଖିବାକୁ ମାନ କରି ଦେଇଥିବା ସେ କହିଛନ୍ତି। ଅପରପକ୍ଷେ ସେ ଏ ନେଇ ଲୋଇସିଂହା ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ମତେ, ଲୋଇସିଂହା ଶାଖା ପୋାଷ୍ଟ ଅଫିସ ଅଧୀନରେ ପରଧିଆପାଲି ପୋଷ୍ଟ ଅଫିସ ରହିଛି। ଉକ୍ତ ପୋଷ୍ଟ ଅଫିସ ଅଧିନରେ ଆଗଲପୁର ବ୍ଲକ ଝରଣପାଲି ପଞ୍ଚାୟତ ଅନ୍ତର୍ଗତ ପଣ୍ଡକିଟାଲ ଗାଁ ଯାଉଛି। ଉକ୍ତ ଗାଁର ଶଶିକାନ୍ତ ପଧାନ(୩୦)। କିଛି ମାସ ପୂର୍ବରୁ ମିଶନ ଶକ୍ତି ବିଭାଗ ପକ୍ଷରୁ ଖବରକାଗଜ ଜରିଆରେ ବିପିଏମ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ହୋଇଥିଲା। ଶଶିକାନ୍ତ ଏହି ପଦବୀ ପାଇଁ ଆବେଦନ କରିଥିଲେ। ଚଳିତ ମାସ ୧୨ତାରିଖ ଭୁବନେଶ୍ୱରଠାରେ ପରୀକ୍ଷା ରହିଥିଲା। ଶଶିକାନ୍ତ ଆଡମିଟ କାର୍ଡ ନ ପାଇବାରୁ ପରୀକ୍ଷାରୁ ବଞ୍ଚତ୍ତ ହୋଇଥିଲେ। ହେଲେ ବୁଧବାର ଅପରାହ୍ନ ପ୍ରାୟ ୩ଟରେ ସ୍ଥାନୀୟ ପୋଷ୍ଟମାଷ୍ଟର ଜଣେ ନାବାଳକଙ୍କ ଜରିଆରେ ଆଡମିଟ କାର୍ଡ ପଠାଇଥିଲେ। ଏହା କିଛି ମାସ ପୂର୍ବରୁ ମଧ୍ୟ ଅନୁରୂପ ସମସ୍ୟା ହୋଇଥିଲା। ନେଟରୁ ଆଡମିଟ କାର୍ଡ କାଢି ପରୀକ୍ଷା ଦେଇଥିବା ଶଶିକାନ୍ତ କହିଛନ୍ତି। କେବଳ ମୋ କ୍ଷେତ୍ରରେ ନୁହେଁ, ଅନ୍ୟ ଜଣେ ଯୁବକଙ୍କର ମଧ୍ୟ ଯୋଗାଣ ବିଭାଗରେ ଯୋଗଦାନ ଚିଠି ଦେବାରେ ବିଳମ୍ବ କରିଥିବା ସେ ଅଭିଯୋଗ ଆଣିଛନ୍ତି। ପୋଷ୍ଟମାଷ୍ଟରଙ୍କ ବାରମ୍ବାର ଅବହେଳା ଯୋଗୁ ତାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଉଥିବା କହିଛନ୍ତି। ସ୍ଥାନୀୟ ପୋଷ୍ଟମାଷ୍ଟର ଚିଠିପତ୍ର ନିଜେ ନ ବାଣ୍ଟି ଜଣେ ନାବାଳକ ହାତରେ ପଠାଉଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୋଷ୍ଟମାଷ୍ଟର କିଶୋର ରାଏ କହିଛନ୍ତି ଯେ, ଆମ ପାଖକୁ ବିଳମ୍ବରେ ଡାକ ଆସିଥାଏ। ତେଣୁ ପରଦିନ ଚିଠି ବାଣ୍ଟିବାକୁ ପଡିଥାଏ। ତେବେ ଉକ୍ତ ଚିଠି ମୁଣାରେ ରହିଯାଇଥିବା ଦେଖି ପାରି ନଥିଲି। ଏଥିପାଇଁ ମୁଁ ଗଭୀରଭାବେ ଦୁଃଖିତ।