ପରିବେଶ ଅର୍ଥନୀତି

ପ୍ରଫେସର ଡ. ଅଜୟ କୁମାର ପାତ୍ର

ଆଜି ସାରା ପୃଥିବୀର ଅର୍ଥନୀତି ବିପର୍ଯ୍ୟସ୍ତ, ବିପର୍ଯ୍ୟସ୍ତ ମଣିଷର ଜୀବନ ପ୍ରଣାଳୀ। କରୋନା ଭୂତାଣୁର ଜୀବନନାଶକ ସଂକ୍ରମଣରେ ସାରା ବିଶ୍ୱରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ। ଭବିଷ୍ୟତରେ କ’ଣ ଘଟିବ, ପୃଥିବୀ କେଉଁ ବିପର୍ଯ୍ୟୟର ସାମ୍ନା କରିବ ଆଜିଠୁ କଳନା କରିବା ମୁସ୍କିଲ। ତା’ହେଲେ ବିପର୍ଯ୍ୟସ୍ତ ହୋଇଯିବ କି ଆମର ଅର୍ଥନୀତି? ମୁଖ୍ୟତଃ ପ୍ରାଦେଶିକ ଓ ଜାତୀୟ ସ୍ତରରେ ଅର୍ଥନୀତି ଦୁର୍ବଳ ହୋଇ ପଡ଼ିବ। ଏସବୁକୁ ଦୃଷ୍ଟିରେ ରଖି ଆଜିଠୁ ପ୍ରତ୍ୟେକେ ସଚେତନ ହେବା ଉଚିତ। ସବୁବେଳେ ଆମେ ସରକାରଙ୍କ ଉପରେ ନିର୍ଭରଶୀଳ ହେବା ଉଚିତ ହେବ କି? ଆମ ଦୈନନ୍ଦିନ ଜୀବନର ସମସ୍ତ ଅତ୍ୟାବଶ୍ୟକ ପଦାର୍ଥ ଯୋଗାଇ ଦେବାପାଇଁ ସରକାରଙ୍କ ଉପରେ ଚାପ ଦେବା କ’ଣ ଉଚିତ? ଆମର ମଧ୍ୟ କିଛି କର୍ତ୍ତବ୍ୟ ରହିଛି। ଆମେ ପ୍ରତ୍ୟେକେ ଜଣେ ଜଣେ ସୁଦକ୍ଷ ସୈନିକ ଭଳି କାର୍ଯ୍ୟ କରିବା ଉଚିତ। ଦେଖିବେ ଆମର ଅର୍ଥନୀତି ସାମୂହିକ ଚେଷ୍ଟାରେ ଧୀରେ ଧୀରେ ସୁଧୁରିଯିବ। ସେଥିପାଇଁ ଜଣେ ପରିବେଶବିତ୍‌, ଜଣେ ପ୍ରାଣୀବିତ୍‌ ଓ ବୈଜ୍ଞାନିକ ହିସାବରେ ମୁଁ ଏଠାରେ ପରିବେଶୀୟ ଅର୍ଥନୀତି ଉପରେ ଏକ ବୈଜ୍ଞାନିକ ତଥ୍ୟ ପ୍ରକାଶ କରୁଛି। ଆଶା କରୁଛି ଏହି ତଥ୍ୟ ପ୍ରତ୍ୟେକଙ୍କୁ ସ୍ବାବଲମ୍ବନଶୀଳ କରିବାରେ ସହାୟକ ହେବ।
ବାଡ଼ିବଗିଚା ଅର୍ଥନୀତି: ସମସ୍ତ ସାଧାରଣ, ମଧ୍ୟବିତ୍ତ ତଥା ଧନିକ ପରିବାର ଅଥବା ଚାକିରିଆ ବା ଶ୍ରମିକମାନଙ୍କ ଘର ସଂଲଗ୍ନ ବଗିଚାର ସୁଉପଯୋଗ କରିବା ଉଚିତ। ଗଛ ଲଗାଇବା, ପନିପରିବା ଚାଷ କରିବା ଓ ସେଗୁଡ଼ିକର ଯତ୍ନ ନେବା ଏବଂ ତା’ର ଫଳ ଭୋଗ କରିବା ଦୈନନ୍ଦିନ ଜୀବନରେ ଏକ ମହାମନ୍ତ୍ର ହେବା ଦରକାର। ଅବସର ସମୟକୁ ବଗିଚା କାମରେ ନିୟୋଜିତ କରିବା ଓ ନିଜକୁ ସୁସ୍ଥ ରଖିବା ସହିତ ପରିବାର ସଦସ୍ୟଙ୍କୁ ସୁସ୍ଥ ରଖିବା ଓ ସାମୟିକ ପରିବାରର ଗୁଜୁରାଣ ମେଣ୍ଟାଇବା ନିଶ୍ଚିତ ଭାବରେ ଏକ ସୁନ୍ଦର ଓ ସାବଲୀଳ ପଦକ୍ଷେପ। ପ୍ରତି ଇଞ୍ଚ ପରିମାଣର ଖାଲି ସ୍ଥାନରେ ଚାଷ ବା ବୃକ୍ଷରୋପଣ କରିବାର ମନୋବୃତ୍ତି ସୃଷ୍ଟି ହେବା ଆବଶ୍ୟକ।
ଆପଣ ସରକାରୀ ବା ବେସରକାରୀ ଘର ଅଥବା ନିଜ ଘରେ ଥାଆନ୍ତୁ ନା କାହିଁକି, ନିଶ୍ଚିତ ଭାବରେ ଆପଣଙ୍କ ଘର ସଂଲଗ୍ନ ବଗିଚା ବା ଖାଲି ସ୍ଥାନରେ ଫଳ ହେଉ ବା ପନିପରିବା ଅଥବା ଶସ୍ୟ ଚାଷ କରନ୍ତୁ ଏବଂ ଆପଣଙ୍କ ସ୍ତ୍ରୀ, ପୁତ୍ର ଓ କନ୍ୟା ତଥା ଭାଇ ଓ ଭଉଣୀଙ୍କୁ ମଧ୍ୟ ଏଥିରେ ନିୟୋଜିତ କରନ୍ତୁ। ପ୍ରଥମତଃ ଆପଣମାନଙ୍କ ଶାରୀରିକ ବ୍ୟାୟାମ ହେବ, ବୃକ୍ଷ ସଂସ୍ପର୍ଶରେ ଆସିଲେ ଦିନବେଳା ଅଧିକ ଅମ୍ଳଜାନ ପାଇବେ। ବଗିଚାରୁ ଉତ୍ପନ୍ନ ଫଳ, ପନିପରିବା ବା ଶସ୍ୟ କିଛି ମାତ୍ରାରେ ଆପଣମାନଙ୍କ ଗୁଜୁରାଣ ମେଣ୍ଟାଇବ। ବୃକ୍ଷ ମାଟି ଧାରଣ କରିବ, ମାଟିର ଜଳ ସଂରକ୍ଷଣ ଶକ୍ତି ବୃଦ୍ଧି ପାଇବ। କେବଳ ସେତିକି ନୁହେଁ, ବୃକ୍ଷ ଆପଣଙ୍କ ଘର ପରିବେଶକୁ ଜୀବାଣୁଶୂନ୍ୟ କରିବାରେ ସାହାଯ୍ୟ କରିବ। ପୁନଶ୍ଚ ଔଷଧୀୟ ଗୁଳ୍ମ ଯଥା- ତୁଳସୀ, ଘିକୁଆଁରି, ଥାଲକୁଡ଼ି ଆଦି ଏହିପରି ଅନେକ ଗୁଳ୍ମର ପତ୍ରକୁ ଆପଣମାନେ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ। ଏଗୁଡ଼ିକ ସହିତ ବିଭିନ୍ନ ଜାତିର ଦେଶୀୟ ଫୁଲରୁ ଅନେକ ଔଷଧୀୟ ଗୁଣ ପାଇପାରିବେ। ଫୁଲର ସୁନ୍ଦରତା ଓ ମହକ, ବୃକ୍ଷର ଶୀତଳତା ଓ ଉପକାରିତା ଆପଣଙ୍କୁ ତଥା ଆପଣଙ୍କ ପିଲାପିଲିଙ୍କୁ ସୁସ୍ଥ ରଖିବା ସହିତ ସେମାନଙ୍କ ବୁଦ୍ଧି ତଥା ଜ୍ଞାନ ବଢ଼ାଇବାରେ ସାହାଯ୍ୟ କରିବ।
ନଦୀ, ନାଳ ଓ ପୋଖରୀ ଅର୍ଥନୀତି : ଆମେ ମନେ ପକାଇବା ନୀଳ ବିପ୍ଳବ ବିଷୟ। ନୀଳ ବିପ୍ଳବର ଅର୍ଥ ହେଲା ମତ୍ସ୍ୟ ଚାଷର ଉନ୍ନତି ଓ ସମସ୍ତ ପରିବାରରେ ମାଛ ସହଜ ଓ ସୁଲଭ ଦରରେ ଉପଲବ୍ଧି। ଆମ ପ୍ରଦେଶରେ, ଆମ ଦେଶରେ ମାଛ ଚାଷର ବହୁଳ ଉନ୍ନତି ପାଇଁ ସରକାର ପ୍ରଦେଶ ମତ୍ସ୍ୟ ଗବେଷଣା ତଥା ଦେଶୀୟ ଗବେଷଣା କେନ୍ଦ୍ର ଖୋଲିଛନ୍ତି। ବିଭିନ୍ନ ପ୍ରକାର ସଙ୍କର ଜାତୀୟ ଶୀଘ୍ର ବଢ଼ୁଥିବା ତଥା ସୁସ୍ବାଦୁ ମାଛ ଉତ୍ପାଦନ କରିବା ସେମାନଙ୍କର ମୁଖ୍ୟ କାର୍ଯ୍ୟ। ଏହି ପ୍ରକାର ମାଛ ସବୁ ପ୍ରକାର ମଧୁର ଜଳରେ ପରିବେଶ ସହିତ ଖାପ ଖୁଆଇ ବଢ଼ିଥାନ୍ତି। ଏହି ଗବେଷଣା କେନ୍ଦ୍ରର ଅନ୍ୟ ଏକ ମୂଳ ଲକ୍ଷ୍ୟ ହେଲା ଯେ, ଆମ ଦେଶୀୟ ଅର୍ଥ ପ୍ରଦାନକାରୀ ମାଛ, ବୃହତ୍‌ କାର୍ପ ଯଥା- ଭାକୁଡ଼, ରୋହି ଏବଂ ମିର୍‌କାଳି ମାଛକୁ କୃତ୍ରିମ ଉପାୟରେ ପ୍ରଜନନ କରାଇ ବହୁଳ ଉନ୍ନତମାନର ବର୍ଦ୍ଧନକ୍ଷମ ଅଣ୍ଡା ପ୍ରସ୍ତୁତ କରିବା ଓ ସୁଲଭ ମୂଲ୍ୟରେ ମତ୍ସ୍ୟ ଚାଷୀମାନଙ୍କୁ ପ୍ରଦାନ କରିବା ଇତ୍ୟାଦି। ଗୋଟିଏ ମାଈ ମାଛ (Female carp) ଥରକେ ଦୁଇ ଲକ୍ଷରୁ ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ। ଏତଦ୍‌ବ୍ୟତୀତ ପ୍ରାଦେଶିକ ତଥା ଦେଶୀୟ ପ୍ରଜନନ କେନ୍ଦ୍ରରେ କୋଟି କୋଟି ସଂଖ୍ୟାରେ ବର୍ଦ୍ଧନକ୍ଷମ ଅଣ୍ଡା, କ୍ଷୁଦ୍ର ଯାଆଁଳ, ଆଙ୍ଗୁଠିଏ ମାଛ ପହଣା ବଳି ଥାଏ, ଯାହାର ସଦୁପଯୋଗ କରିବା ସମ୍ଭବ ହୁଏ ନାହିଁ। ଏହି କ୍ଷେତ୍ରରେ ମୁଁ ଜଣେ ମତ୍ସ୍ୟବିତ୍‌ ହିସାବରେ ଏଠାରେ ଉପଦେଶ ଦେବି ଯେ ଏହି ବଳକା ମାଛ ଯାଆଁଳ, ଅଣ୍ଡା, ପହଣା ଆମ ପ୍ରଦେଶରେ ତଥା ଦେଶରେ ଥିବା ଯେ କୌଣସି ନଦୀ, ପୋଖରୀ, ନାଳ ଏବଂ ହ୍ରଦରେ ଛାଡ଼ିଦେବା ଉଚିତ। ମାଛ ପ୍ରାକୃତିକ ପାଣିରେ ମିଳୁଥିବା କ୍ଷୁଦ୍ର କ୍ଷୁଦ୍ର ଜୈବ ପଦାର୍ଥ ଖାଇ ଶରୀରର ଅଭିବୃଦ୍ଧି କରନ୍ତି। ବଞ୍ଚିବାର ହାର ମଧ୍ୟ ନିଶ୍ଚୟ ଆଶାନୁରୂପ ହୋଇପାରିବ। ସାଧାରଣ ଲୋକ ଓ ଅଣଚାଷୀ ପୋଖରୀ, ନଦୀ, ନାଳ ଓ ହ୍ରଦରୁ ସ୍ବାଧୀନ ଭାବରେ ମାଛ ଧରିପାରିବେ ଓ ପରିବାର ପୋଷଣ କରିପାରିବେ। ଏହାଦ୍ୱାରା ମାଛ ବଜାରରେ ମାଛ ଅଧିକ ଓ ବହୁଳ ଭାବରେ ଠୁଳ ହେବ। ମାଛର ଦାମ୍‌ କମ୍‌ ରହିବ। ମାଛ ବଜାର ଉପରେ ଚାପ କମ୍‌ ରହିବ। ଅଧିକ ଲୋକ ସୁଲଭ ଦରରେ ମାଛ ପାଇପାରିବେ। ସାଧାରଣ ଗରିବ ଶ୍ରେଣୀର ଲୋକମାନେ ପାଖ ନଦୀ, ନାଳ ଓ ହ୍ରଦରୁ ମାଛ ପାଇ ନିଜର ପୁଷ୍ଟିସାର ଖାଦ୍ୟର ଅଭାବ ପୂରଣ କରିପାରିବେ।
ଜଙ୍ଗଲ ଅର୍ଥନୀତି: ଆମ ପ୍ରଦେଶ ବା ଦେଶର ବୃହତ୍‌ ଜଙ୍ଗଲର ସୁରକ୍ଷା କବଚ ହେଲା କ୍ଷୁଦ୍ର ଜଙ୍ଗଲର ସୃଷ୍ଟି। ଫଳରେ ବଡ଼ ଜଙ୍ଗଲ ଉପରେ ଚାପ କମ୍‌ ହେବ। ସାଧାରଣ ଲୋକେ ତାଙ୍କର ଦୈନନ୍ଦିନ ଆବଶ୍ୟକତା ଛୋଟ ଜଙ୍ଗଲରୁ ପୂରଣ କରିପାରିବେ। ଆମ୍ଭେମାନେ ଏକକ-ବୃକ୍ଷ ଜଙ୍ଗଲ ଉପରେ ଅଧିକ ଗୁରୁତ୍ୱ ନ ଦେଇ ବିବିଧ-ବୃକ୍ଷ ଜଙ୍ଗଲ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। ତେନ୍ତୁଳି, କଇଥ, ବେଲ, ମହୁଲ, ଶାଳ, ପିଆଶାଳ, ଆମ୍ବ, ଅଁଳା, ବାହାଡ଼ା ଆଦି ବିବିଧ-ବୃକ୍ଷ ଜଙ୍ଗଲର ଉପକାରିତା ଏକକ-ବୃକ୍ଷ ଜଙ୍ଗଲଠାରୁ ଅନେକ ବେଶି। ଗୋଟିଏ ବୃକ୍ଷରେ ପ୍ରାୟ ୨୦ରୁ ଅଧିକ ପ୍ରଜାତିର କୀଟ, ପତଙ୍ଗ, ପଶୁ, ପକ୍ଷୀ ଓ ସରୀସୃପ ରହି ପରିବେଶର ଭାରସାମ୍ୟ ରକ୍ଷା କରିଥାନ୍ତି। ଆମ ଘରୋଇ ଓ ବଗିଚା ଅର୍ଥନୀତିକୁ ସୁଦୃଢ଼ କରିବା ମଧ୍ୟ ସମସ୍ତଙ୍କ କର୍ତ୍ତବ୍ୟ। କରୋନାଜନିତ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିର ଭରଣା ପାଇଁ ଆମ ନିଜସ୍ବ ଅର୍ଥନୀତିକୁ ସୁଦୃଢ଼ କରିବା ଆବଶ୍ୟକ।

ପରିବେଶବିତ୍‌ ଓ ବୈଜ୍ଞାନିକ,
ମୋ: ୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri