ପରିବା ମାର୍କେଟ ବନ୍ଦ ଚର୍ଚ୍ଚା: ଜମିଲା ଭିଡ଼

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲଢ଼େଇ ଜାରି ରଖିଛନ୍ତି। ରାଜ୍ୟରେ ୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏହି ସଂଖ୍ୟା କିପରି ଆଗକୁ ନ ବଢିବ ସେଥିଲାଗି ଦିନକୁ ଦିନ ନୂଆ ନୂଆ କଟକଣା ଲଗାଉଛନ୍ତି। ଦେଶରେ କରୋନାର ଭୟାବହତାକୁ ଦେଖି ଶନିବାର ରାଜ୍ୟ ସରକାର ୫ଟି ଜିଲା ସମେତ ୮ଟି ସହରରେ ଲକ୍‌ ଡାଉନ ଘୋଷଣା କରିଛନ୍ତି। ଏହି ୮ଟି ସହର ମଧ୍ୟରେ ପୁରୀ ସ୍ଥାନ ପାଇଛି। ଏହି ଖବର ପ୍ରଚାରିତ ହେବା ପରେ ସହରବାସୀଙ୍କ ମଧ୍ୟରେ ଏକ ଗୁଜବ ଖେଳିଯାଇଛି। ଅନେକ ଲୋକ ଲକ୍‌ ଡାଉନ ନେଇ କାହା କାହା ଉପରେ କଟକଣା ଲଗାଯାଇଛି ତାହା ବୁଝିବାକୁ ଚେଷ୍ଟା କରି ନ ଥିଲେ। ରବିବାରଠାରୁ ବଜାର, ହାଟ ବନ୍ଦ ହେବା ଗୁଜବ ଶୁଣି ଅଧିକାଂଶ ଲୋକେ ଏହାକୁ ନ ବୁଝିପାରି ଶନିବାର ସନ୍ଧ୍ୟାରେ ଗ୍ରୋସରି ଦୋକାନ ଏବଂ ପରିବା ମାର୍କେଟରେ ଭିଡ଼ ଜମାଇଥିଲେ। ଛାନିଆରେ ଲୋକେ ମନଇଚ୍ଛା ବ୍ୟାଗ ଭର୍ତ୍ତି କରି ସାମଗ୍ରୀ ଘରକୁ ନେଇଥିଲେ। କେତେକ ଦୋକାନରେ ଅତ୍ୟାବଶ୍ୟକ ସାମଗ୍ରୀ ଶେଷ ହୋଇଯାଇଥିଲା। ପଛରେ ଆସିଥିବା ଲୋକେ କେତେକ ସାମଗ୍ରୀ ନ ପାଇ ଫେରୁଥିବା ଦେଖାଯାଇଛି।