ପରିବା ଗୋଦାମ ପୋଡ଼ିଦେଲେ ଦୁର୍ବୃତ୍ତ

ଫୁଲବାଣୀ ଅଫିସ, ୧୫ା୧୧ -ସ୍ଥାନୀୟ ହାଟପଦା ହାଟରେ ଥିବା ଏକ ପରିବା ଗୋଦାମ ଗୃହକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଯାଇଛି। ଏ ନେଇ ଗୋଦାମ କରିଥିବା ବ୍ୟବସାୟୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ ା ହାଟର ଏକ ସ୍ଥାନରେ ପରିବା ବଜାର ସଂଘ ସଦସ୍ୟ ଦଶରଥ ସାହାଣୀ ଓ ରାଜେନ୍ଦ୍ର ବେହେରା ଗୋଦାମ କରି ପରିବା ବ୍ୟବସାୟ କରନ୍ତି। ସେଠାରେ ଅନ୍ୟ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ମାପ ଓଜନ ଯନ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖିଥାନ୍ତି। ଭୋର ପ୍ରାୟ ସାଢ଼େ ୪ଟାରେ ଏହି ଗୋଦାମ ଜଳୁଥିବା କିଛି ବ୍ୟବସାୟୀ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସବୁ ପୋଡି ଯାଇଥିଲା ା ପରିବା ସମେତ ମାପ ଓଜନ ଯନ୍ତ୍ର, ଫ୍ୟାନ ଆଦି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି ା