ପରିବାର ସହ ବଚସା: ନଦୀକୁ ଡେଇଁବାକୁ କହି ପରିବାର ଲୋକଙ୍କୁ ହଇରାଣ କଲେ ଯୁବକ

ପଡିଆ, ୫ା୧୧(ଡି.ଏନ.ଏ.)- ଜଣେ ଯୁବକ ପରିବାର ଲୋକଙ୍କ ସହ ଝଗଡା କରି ଘରୁ ଚାଲିଆସି ନଦୀକୁ ଡେଇଁ ଆତ୍ମହତ୍ୟା କରିବା ନେଇ ତିଆରି କରିଥିବା ନଟକ ଧରାପଡିଛି। ସେ ଜଗଦ୍ଦଲପୁରର ଜଣେ ବନ୍ଧୁଙ୍କ ନିକଟରେ ଜଣାପଡିବା ପରେ ତାଙ୍କୁ ନେଇ ସଅଷ୍ଟି ହୋଇଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସେ ହେଲେ ସୀମାନ୍ତ ଛତିଶଗଡର ସୁକମା ଜିଲା ଅନ୍ତର୍ଗତ ଦରାନାଖାଲ ଗ୍ରାମର ଯୁଧିଷ୍ଠିର ନିହାଲଙ୍କ ପୁଅ କୁଶ ନିହାଲ (୨୦)।

ଖବରରରୁ ଜଣାପଡିଛି ସୋମବାର ରାତିରେ କୁଶଙ୍କର କୌଣସି କାରଣରୁ ପରିବାର ସହ ବଚସା ହୋଇଥିଲା। ଭୋର ୪ଟାରେ ସେ ତାଙ୍କ ବାଇକ୍‌ ଧରି ପଡିଆ-ଦରାନାପାଲକୁ ସଂଯୋଗ କରୁଥିବା ପୋଲ ନିକଟକୁ ଆସିଥିଲେ। ସେଠାରେ ଛିଡା ହୋଇ ତାଙ୍କ ବଡଭାଇଙ୍କୁ ଫୋନ କରିଥିଲେ। ମୁଁ ପୋଲ ଉପରେ ଗାଡି, ଫୋନ ଏବଂ ଶାର୍ଟ ସହ ଏକ ହାତ ଲେଖା ଚିଠି ରଖିଛି। ତାକୁ ଆସି ନେଇଯାଅ, ମୁଁ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିବି କହି ଫୋନ କାଟି ଦେଇଥିଲେ। କୁଶଙ୍କ ଭାଇ ଫୋନ ପାଇ ତୁରନ୍ତ ପୋଲ ପାଖକୁ ଆସି କୁଶଙ୍କ ଗାଡି, ଫୋନ, ଶାର୍ଟ ଏବଂ ଚିଠି ରଖାଯାଇଥିବା ଦେଖିବାକୁ ପାଇଥିଲେ। ମାତ୍ର କୁଶଙ୍କୁ ଦେଖିବାକୁ ପାଇ ନ ଥିଲେ। ଏ ସମ୍ପର୍କରେ ସେ ସୁକମା ଜିଲାର ଓଡ୍ରାଫ ଟିମ୍‌ ଏବଂ ପଡିଆ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ମଙ୍ଗଳବାର ଦିନତମାମ ସାବେରି ନଦୀରେ ଖୋଜାଖୋଜି କରି କୁଶଙ୍କ ସନ୍ଧାନ ପାଇ ନ ଥିଲେ। ବୁଧବାର ପୁଣି ଖୋଜିବାକୁ ସ୍ଥିର କରି ସନ୍ଧ୍ୟାରେ ଫେରିଯାଇଥିଲେ। ତେବେ କୁଶ ଜଗଦ୍ଦଲପୁରରେ ତାଙ୍କର ଜଣେ ବନ୍ଧୁଙ୍କ ନିକଟରେ ଥିବା ଶେଷରେ ଜଣାପଡିଥିଲା। ଏହି ଖବର ପାଇବା ପରେ ପରିବାର ଲୋକେ ଆଶ୍ୱସ୍ଥ ହୋଇଛନ୍ତି।