ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବିଫଳ: ୯ ବର୍ଷ ପରେ ସନ୍ତାନ ପ୍ରସବ କଲେ ମହିଳା

କାଳିଆପାଣି,୨୭।୪(ଡିଏନଏ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ରୁଗୁଡ଼ିସାହିର କୃଷ୍ଣ ବିରୁଆଙ୍କ ସ୍ତ୍ରୀ ନମାନି (୪୦) ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାର ୯ବର୍ଷ ପରେ ରବିବାର ଏକ କନ୍ୟା ସନ୍ତାନ ଜନ୍ମ କରିଥିବା ଜଣାପଡ଼ିଛି। ଏହି ଘଟଣା ଏବେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ସନ୍ତାନ ପ୍ରସବ ସମୟରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲେ ମଧ୍ୟ ଗାଡ଼ି ନ ଆସିବାରୁ ମହିଳା ଘରେ ପ୍ରସବ କରିଥିଲେ। ଫଳରେ ପିଲାର ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବା ଜଣାପଡ଼ିଛି।
ପ୍ରକାଶ ଯେ, କୃଷ୍ଣଙ୍କର ୨ଟି ସନ୍ତାନ ଥିବାରୁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରକୁ ଯାଇ ସ୍ତ୍ରୀ ନମାନିଙ୍କର ଅସ୍ତ୍ରୋପଚାର କରାଇଥିଲେ। ଏହାର ୯ବର୍ଷ ପରେ ନମାନି ଗର୍ଭବତୀ ହୋଇଥିଲେ। ୨୬ ତାରିଖ ନମାନିଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ କୃଷ୍ଣ ୧୦୮ ଆମ୍ବୁଲାନ୍ସକୁ ଡାକିବା ପାଇଁ ଆଶାକର୍ମୀଙ୍କୁ କହିଥିଲେ। ମାତ୍ର ଆମ୍ବୁଲାନ୍ସ ଆସିବ ନାହିଁ ବୋଲି ଆଶାକର୍ମୀ କହିଥିଲେ। ଅତ୍ୟଧିକ ଯନ୍ତ୍ରଣା ହେବାରୁ କୃଷ୍ଣ ଗ୍ରାମର କିଛି ମହିଳାଙ୍କୁ ଡାକି ଘରେ ସ୍ତ୍ରୀଙ୍କର ପ୍ରସବ କରାଇଥିଲେ। ତେବେ ନମାନି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇବା ସତ୍ତ୍ୱେ ପୁଣି ଥରେ ମା’ ହେବା ଏହି ଅସ୍ତ୍ରୋପଚାରର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଦିବାସୀମାନେ ଧିରେଧିରେ ସଚେତନ ହୋଇ ଛୋଟ ପରିବାର ଗଠନ ପାଇଁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଉଥିବାବେଳେ ଏହାର ଅସଫଳତାକୁ ନେଇ ଅସନ୍ତୋଷ ଦେଖାଦେଇଛି। ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି କ୍ଷତିପୂରଣ ଦେବା ସହ ପିଲା ଓ ମା’ର ଯତ୍ନ ନେବାକୁ କୃଷ୍ଣ ଦାବି କରିଛନ୍ତି। ଏ ସମ୍ପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଜୟଦେବ ନନ୍ଦଙ୍କୁ ଯୋଗାଯୋଗ କରିବାରୁ, କିଛି ମାମଲାରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ସଫଳ ହେଉ ନ ଥିବା ଦେଖାଯାଉଛି। ଏଭଳି କ୍ଷେତ୍ରରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନମାନିଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଆମ୍ବୁଲାନ୍ସ ଆସିବାକୁ ମନା କରିବା ସମ୍ପର୍କରେ ଡା. ନନ୍ଦଙ୍କୁ ପଚାରିବାରୁ, ବୋଧହୁଏ ଡାକ୍ତରଖାନାରେ ସେ ସମୟରେ ଆମ୍ବୁଲାନ୍ସ ନ ଥିବ, ତେଣୁ ଯାଇପାରି ନାହିଁ ବୋଲି କହିବା ସହିତ ତୁରନ୍ତ ଉଭୟ ମା’ ଓ ପିଲାଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି।