ପରିବହନ ବନ୍ଦ ବିରୋଧରେ ଧାରଣା:ପ୍ରଶାସନ ସହ ଆଲୋଚନା ବିଫଳ

ଅନୁଗୋଳ ଅଫିସ, ୨୯ା୧୦

କୋଇଲା ପରିବହନ ନେଇ ବିବାଦ ଯୋଗୁ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ବଳରାମ ଖଣି ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି। ପ୍ରଶାସନ, ପୋଲିସ ଓ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେଣୁ ତୁରନ୍ତ ଖଣି କାର୍ଯ୍ୟ ଆରମ୍ଭ କରାଯିବା ଦାବିରେ କଳାପାଟ ଟ୍ରକ୍‌ ମାଲିକ ସଂଘ ଉପସଭାପତି ଗଦାଧର ସାହୁଙ୍କ ନେତୃତ୍ୱରେ ସୋମବାର ସୋଲଡ଼ାବାସୀ ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଖଣି କାର୍ଯ୍ୟ ଚାଲୁ କରାଯିବା ପରେ ସେମାନେ ଧାରଣାରୁ ଉଠିବେ ବୋଲି ସାହୁ ସୂଚନା ଦେଇଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଧାରଣାରେ ବସିଥିବା ଏକ ୫ ଜଣିଆ କମିଟି ସହ ଅପରାହ୍ନରେ ଆଲୋଚନା କରିଥିଲେ। ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି କହି ଧାରଣାରୁ ଉଠିଯିବାକୁ ପ୍ରଶାସନ ଅନୁରୋଧ କରିଥିଲେ ବି ସୋଲଡ଼ାବାସୀ ଜିଦ୍‌ରେ ଅଟଳ ରହିଛନ୍ତି।
ଗ୍ରାମ ସଭାପତି ଫିରୋଜ କୁମାର ପ୍ରଧାନ କହିଛନ୍ତି, ବଳରାମ ଖଣିରେ ଟ୍ରକ୍‌ ଉପରେ ୩ଶହ ପରିବାର ନିର୍ଭର କରୁଥିବାବେଳେ ଟ୍ରକ୍‌ରେ ପାଲ ଭିଡ଼ି ୭ଶହ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। କିନ୍ତୁ ଖଣି ବନ୍ଦ କାରଣରୁ ଏକ ହଜାର ପରିବାରଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ଫେବୃୟାରୀ ୨୫ରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଟ୍ରକ୍‌ ଲୋଡିଂ ନେଇ ଆଲୋଚନା ହୋଇଥିଲା। ଏହା ପରଠାରୁ ଦୈନିକ ଲୋଡିଂ କିଛି ଦିନ ଠିକ୍‌ରେ ଚାଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଡଅଁରା ଗ୍ରାମର କିଛି ଲୋକ ଭୟଭୀତ କରାଇ ଉପରୋକ୍ତ ୫ଟି ଗ୍ରାମର ଟ୍ରକ୍‌ ମାଲିକଙ୍କୁ ଲୋଡିଂ ଦେଇ ନ ଥିଲେ। ଏ ନେଇ ମା’ କଳାପାଟ ଟ୍ରକ୍‌ ମାଲିକ ସଂଘ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ରାଜନୈତିକ ଚାପ ଦ୍ୱାରା ଖଣି ବନ୍ଦ କରାଯାଇଥିବା ସଭାପତି ଅଭିଯୋଗ କରିଛନ୍ତି। କଳାପାଟ ଟ୍ରକ ମାଲିକ ସଂଘର ସହସମ୍ପାଦକ ସିପୁନ ସ୍ବାଇଁ, ଆଲୋକ ସାହୁ, ପ୍ରଶାନ୍ତ ସାହୁ, ସୁଶୀଲ ବେହେରା, ଅନି ସାହୁ, ରିଙ୍କୁ ସାହୁ, ବିମଳ ବେହେରା, ସୂର୍ଯ୍ୟକାନ୍ତ ସାହୁ, ମନମୋହନ ଗଡ଼ନାୟକ, ସୌମ୍ୟରଞ୍ଜନ ସାହୁ, ଆକାଶ ଜେନା, ସୁଶାନ୍ତ ସାହୁ, ସାଗର ତନୟା ବେହେରା ପ୍ରମୁଖ ଧାରଣାରେ ବସିଥିବା ଟ୍ରକ୍‌ ମାଲିକ ସଂଘ ଉପସଭାପତି ସାହୁ ସୂଚନା ଦେଇଛନ୍ତି।