Categories: ଜାତୀୟ

ପରିବର୍ତ୍ତନରୁ ଲାଭବାନ୍‌ ହେବେ କଶ୍ମୀରବାସୀ

ନୂଆଦିଲ୍ଲୀ,୧୫ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିବାରୁ ସେଠାର ଜନସାଧାରଣ ଯଥେଷ୍ଟ ଉପକୃତ ହେବେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସରକାର ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରୁଥିବା ୭୩ତମ ସ୍ବାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି।
ଜମ୍ମୁ-କଶ୍ମୀରରେ ହୋଇଥିବା ପରିବର୍ତ୍ତନ ଏହାର ଜନସାଧାରଣଙ୍କୁ ଅନ୍ୟ ରାଜ୍ୟର ଲୋକମାନଙ୍କ ଭଳି ସମାନ ଅଧିକାର ଓ ସୁବିଧା ସୁଯୋଗ ପ୍ରଦାନ କରିବ। ଅକ୍ଟୋବରରୁ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି।
ଯେଉଁ ମହାନ୍‌ ନେତାମାନେ ଆମକୁ ସ୍ବାଧୀନତା ଦେଇଗଲେ ସେମାନଙ୍କ ମତରେ ସ୍ବାଧୀନତାର ଅର୍ଥ କେବଳ ରାଜନୈତିକ କ୍ଷମତାର ହସ୍ତାନ୍ତର ନ ଥିଲା। ରାଷ୍ଟ୍ର ନିର୍ମାଣ ଓ ଯୋଡ଼ିବାର ଦୀର୍ଘ ତଥା ବିଶାଳ ପ୍ରକ୍ରିୟାରେ ଏହାକୁ ଏକ ପାହାଚ ଭାବେ ସେମାନେ ବିବେଚନା କରିଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ଏକକାଳୀନ ତିନି ତଲାକ୍‌ ପ୍ରଥାକୁ ଦଣ୍ଡନୀୟ ଅପରାଧ କରାଯାଇଥିବାରୁ ଏହାଦ୍ୱାରା ଝିଅମାନଙ୍କୁ ନ୍ୟାୟ ମିଳିବ ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି। ସେହିପରି ଦେଶର ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା, ଅନଲାଇନ୍‌ ଟିକସ ସଂଗ୍ରହ ଏବଂ ଯୋଗ୍ୟ ବ୍ୟବସାୟୀମାନଙ୍କୁ ସହଜରେ ପୁଞ୍ଜି ଉପଲବ୍ଧ କରାଇବା ଭଳି ଆର୍ଥତ୍କ ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି।
ନିକଟରେ ଶେଷ ହୋଇଥିବା ସଂସଦୀୟ ଅଧିବେଶନ ଉଭୟ ସମୟ ଓ ବିଲ୍‌ ଗୃହୀତ ହେବା ଦୃଷ୍ଟିରୁ ସବୁଠୁ ଫଳପ୍ରଦ ଅଧିବେଶନ ଥିଲା। ବିଭିନ୍ନ ଦଳର ସଦସ୍ୟମାନଙ୍କ ସହଯୋଗ ଓ ଗଠନମୂଳକ ଆଲୋଚନା ମାଧ୍ୟମରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ ହୋଇପାରିଥିଲା। ଆଗାମୀ ୫ ବର୍ଷ ପାଇଁ ଏହା ଏକ ଭଲ ସୂଚନା ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ର ଓ ସମାଜ, ସରକାର ଓ ନାଗରିକ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ। ସପ୍ତଦଶ ଲୋକ ସଭା ପାଇଁ ନିର୍ବାଚନରେ ଭାଗ ନେଇଥିବା ଜନସାଧାରଣଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି। ମାନବ ଇତିହାସରେ ଏହା ସର୍ବବୃହତ୍‌ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ଥିଲା। ଏବେ ଦେଶକୁ ଏକ ନୂଆ ସ୍ତରକୁ ନେଇଯିବା ଲାଗି ଆମକୁ ଏକାଠି କାର୍ଯ୍ୟ କରିବାକୁ ହେବ । ୧୯୪୭ ପୂର୍ବରୁ ସ୍ବପ୍ନ ଥିଲା ସ୍ବାଧୀନ ଭାରତ। ବର୍ତ୍ତମାନର ସ୍ବପ୍ନ ହେଉଛି ବିକାଶକୁ ତ୍ୱରାନ୍ବିତ କରିବା ତଥା ପ୍ରଭାବଶାଳୀ ଓ ସ୍ବଚ୍ଛ ପ୍ରଶାସନ। ୧୩୦ କୋଟି ଭାରତୀୟଙ୍କ ଦକ୍ଷତା, ନବୋନ୍ମେଷ, ସୃଜନୀ ଓ ଔଦ୍ୟୋଗିକତାରେ ବିରାଟ ସୁଯୋଗ ଓ ସାମର୍ଥ୍ୟ ରହିଥିବା ରାଷ୍ଟ୍ରପତି କହିଛନ୍ତି।

Share