Categories: ରାଜ୍ୟ

ପରିଚାଳନା କମିଟି ହାତକୁ ଫେରିଲା ମାଛଧରା ବନ୍ଦର ଦାୟିତ୍ୱ

ପାରାଦୀପ,୫।୭(ସ୍ବ.ପ୍ର.): ରାଜ୍ୟରେ ଥିବା ୨୮ଟି ମାଛଧରା ବନ୍ଦର ମଧ୍ୟରୁ ୨ ବୃହତ ମାଛଧରା ବନ୍ଦର ପାରାଦୀପ ଓ ଧାମରାର ପରିଚାଳନା ଦାୟିତ୍ୱ ଗୁରୁବାର ପୁଣି ପରିଚାଳନା କମିଟି ପାଖକୁ ଫେରିଛି। ତେବେ ଅନ୍ୟ ୨୬ଟି ମାଛଧରା ବନ୍ଦର ଫିସ୍‌ଫେଡ୍‌ ଅଧୀନରେ ରହିବ। ପାରାଦୀପ ଓ ଧାମରା ମାଛଧରା ବନ୍ଦରକୁ ପୂର୍ବରୁ ଯେଉଁ କମିଟି ପରିଚାଳନା କରୁଥିଲା, ଏବେ ସେହି କମିଟି ପୂର୍ବବତ୍‌ ପରିଚାଳନା କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ବୁଧବାର ନିର୍ଦ୍ଦେଶ ଆସିଛି। ଉକ୍ତ ନିର୍ଦ୍ଦେଶ ପରେ ମତ୍ସ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଚଠି ମିଳିଛି ବୋଲି ପାରାଦୀପ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ମାନସ ରଞ୍ଜନ ସାହୁ କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଦୁଇ ମାଛଧରା ବନ୍ଦରକୁ ମତ୍ସ୍ୟ ବିଭାଗ ଓ ଟ୍ରଲର ମାଲିକ ସଂଘ ପକ୍ଷରୁ ପରିଚାଳନା କମିଟି ଗଠନ କରାଯାଇ ପରିଚାଳନା କରାଯାଉଥିଲା। ବିଶେଷ କରି ପାରାଦୀପ ମାଛଧରା ବନ୍ଦର ୨୦୧୧ରେ ରାଜ୍ୟ ସରକାର ହାତକୁ ନେବା ପରେ ଏହି କମିଟି ଗଠନ କରିଥିଲେ। ଗତ ମାସ ୨୪ ତାରିଖରେ ସରକାର ରାଜ୍ୟର ସମସ୍ତ ମାଛଧରା ବନ୍ଦର ପରିଚାଳଚନା ଦାୟିତ୍ୱ ଫିସ୍‌ଫେଡ୍‌ (ଓଡ଼ିଶା ଫିସେରି କୋଅପରେଟିଭ୍‌ କର୍ପୋରେଶନ)କୁ ହସ୍ତାନ୍ତର କରିଥିଲେ। ଏ ସମ୍ପର୍କରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ହୋଇ ନ ଥିବାରୁ ଓମ୍ଫା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଗତ ବୁଧବାର ଫିସଫେଡ୍‌ର ରାଜ୍ୟ ଅଧ୍ୟକ୍ଷ ପି.ପ୍ରସାଦ ରାଓ ଡୋରା ପାରାଦୀପ ଓ ଧାମରା ମାଛଧରା ବନ୍ଦର ପାଇଁ କମିଟି ଗଠନ ଆବଶ୍ୟକ ବୋଲି ସରକାରଙ୍କ ପାଖରେ ଯୁକ୍ତି ରଖିଥିଲେ। ଏହା ପରେ ସରକାର ନୂଆ କମିଟି ଗଠନ ନ କରି ପୁରୁଣା କମିଟିକୁ ଦାୟିତ୍ୱ ପ୍ରଦାନ କରିବାକୁ କହିଥିଲେ ବୋଲି ଡୋରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ୧୦ଦିନ ମଧ୍ୟରେ ପରିଚାଳନା କମିଟିର ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ସବୁକିଛି ପରିବର୍ତ୍ତନ ହୋଇସାରିଥିଲା। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଣି ସେସବୁ ପରିବର୍ତ୍ତନ କରାଯାଇଛି ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି।