Categories: ଖେଳ

ପରାଜୟ ସତ୍ତ୍ୱେ ଫାଇନାଲରେ ଭାରତୀୟ ଯୁବ ଦଳ

ବେକେନହାମ୍‌ (ୟୁକେ), ୧୦।୮ (ପି.ଟି.): ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଦିନିକିଆ ତ୍ରି-ରାଷ୍ଟ୍ରୀୟ ସିରିଜର ଏକ ମ୍ୟାଚ୍‌ରେ ଭାରତୀୟ ଯୁବ ଦଳ ଡିଏଲ୍‌ ପଦ୍ଧତିରେ ୮ ଉଇକେଟ୍‌ରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଛି। ପରାଜୟସତ୍ତ୍ୱେ ୮ ମ୍ୟାଚ୍‌ରୁ ୮ ପ,ଣ୍ଟ ପାଇ ଭାରତୀୟ ଯୁବ ଦଳ ଫାଇନାଲରେ ପ୍ରବେଶ କରିଛି। ରବିବାର ଫାଇନାଲରେ ଭାରତର ମୁକାବିଲା ବାଂଲାଦେଶ ଯୁବ ଦଳ ସହ ହେବ। ବାଂଲାଦେଶ ଯୁବ ଦଳ ୮ ମ୍ୟାଚ୍‌ରୁ ୧୧ ପଏଣ୍ଟ ପାଇ ପୂର୍ବରୁ ଫାଇନାଲରେ ପହଞ୍ଚତ୍ ସାରିଥିଲା। ଇଂଲଣ୍ଡ ୫ ପଏଣ୍ଟ ସହ ବିଦାୟ ନେଇଛି। ରବିବାର ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ।
ଦ୍ୱାଦଶ ମୁକାବିଲାରେ ଟସ୍‌ ଜିତି ଭାରତୀୟ ଯୁବ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍‌ ହରାଇ ୨୭୮ ରନ କରିଥିଲା। ଦଳ ପକ୍ଷରୁ ଓପନର୍‌ ଦିବ୍ୟାଂଶ ସସ୍କେନା ୧୨୭ ବଲରୁ ୮ ଚୌକା ସହାୟତାରେ ୧୦୨ ରନ କରିଥିଲେ। ଅଧିନାୟକ ପ୍ରିୟଙ୍କ ଗର୍ଗ (୫୧) ଓ ତିଳକ ବର୍ମା (୫୨) ମଧ୍ୟ ଉପଯୋଗୀ ବ୍ୟାଟିଂ କରିଥିଲେ। ଜବାବରେ ଇଂଲଣ୍ଡ ଯୁବ ଦଳ ଏକଦା ୩୭ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ୧୬୧ ରନ କରିଥିବାବେଳେ ବର୍ଷା ହୋଇଥିଲା। ପରେ ବର୍ଷା ଛାଡ଼ିବା ପରେ ଡିଏଲ୍‌ ପଦ୍ଧତିରେ ୪୨ ଓଭରରେ ୨୧୪ ରନର ପୁନଃ ଟାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲା। ଦଳ ୪୧.୩ ଓଭରରେ ୨ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଦୁଇ ଓପନର ବେନ୍‌ ଚାର୍ଲଓ୍ବର୍ଥ ୪୬ ଓ ଟମ୍‌ କ୍ଲାର୍କ ୬୧ ରନ କରି ଆଉଟ୍‌ ହୋଇଥିବାବେଳେ ଡାନ୍‌ ମାଉସଲୀ ୭୪ ରନରେ ଅପରାଜିତ ରହିଥିଲେ।

Share