ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ସମର୍ଥନ ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୧୧ା୭- ଭାରତୀୟ ଦଳ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ଚଳିତ ଆଇସିସି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛି। ଏହି ପରାଜୟ ପରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ଓ ପୂର୍ବତନ ଖେଳାଳି ଭାରତୀୟ ଦଳକୁ ସହାନୁଭୂତି ଜଣାଇଛନ୍ତି। ମ୍ୟାଚ୍‌ରେ ସାହସିକ ବ୍ୟାଟିଂ କରିଥିବା ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଖୁବ୍‌ ପ୍ରଶଂସା ମିଳିଛି। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୁଇଟ୍‌ କରି ଟିମ୍‌ ଇଣ୍ଡିଆକୁ ସମର୍ଥନ ଜଣାଇଛନ୍ତି। ପ୍ରତ୍ୟେକ ଭାରତୀୟଙ୍କ ଭଳି ମୁଁ ମଧ୍ୟ ଦୁଃଖିତ। ଜାଡେଜା ଓ ଧୋନୀ ଭଲ ଲଢ଼ିଲେ। କିନ୍ତୁ ଜିତ୍‌ ନ୍ୟୁଜିଲାଣ୍ଡର ଥିଲା। ସେମାନେ ଫାଇନାଲରେ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଓ ଶୁଭ କାମନା ବୋଲି ସଚିନ ଲେଖିଛନ୍ତି। ସେହିଭଳି ଷ୍ଟାର ଫୁଟ୍‌ବଲର ସୁନୀଲ ଛେତ୍ରୀ ଟୁଇଟ୍‌ କରିଛନ୍ତି, କାଲି ଆମର ଦିନ ଥିଲା। ଆଜି ତାଙ୍କର। ଭାରତୀୟ ଦଳ ଭଲ ଖେଳିଲା। ମୁଁ ସର୍ବଦା ଟିମ୍‌ ଇଣ୍ଡିଆର ଜଣେ ପ୍ରଶଂସକ ହୋଇ ରହିବି। ଜଣେ ପ୍ରଶଂସକ ଲେଖିଛନ୍ତି, ଆମେ ମ୍ୟାଚ୍‌ ହାରିଲୁ। ମାତ୍ର ଟୁର୍ନାମେଣ୍ଟରେ ଯେଉଁଭଳି ଖେଳିଲୁ, ସେଥିଲାଗି ଗର୍ବିତ। ଆମେ ବିଶ୍ୱର ଶ୍ରେଷ୍ଠ ଦଳ। ଦଳକୁ ବିଜୟ ଆଶା ଦେବା ପାଇଁ ଧୋନୀଙ୍କୁ ଧନ୍ୟବାଦ୍‌। ତୁମେ ସର୍ବଦା ଦଳ ପାଇଁ ଶେଷକୁ ଛିଡ଼ାହୁଅ। ଜାଡେଜାଙ୍କୁ ଭାରତୀୟ ଦିନିକିଆ ଦଳରେ ନିୟମିତ ସ୍ଥାନ ଦରକାର।

Share