ପରଲୋକରେ ବ୍ରହ୍ମାକୁମାରୀର ମୁଖ୍ୟ ପ୍ରଶାସିକା ଦାଦୀ ଜାନକୀ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ଏବଂ ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ୍‌ ଆମ୍ବାସାଡାର ଦାଦୀ ଜାନକୀ ୧୦୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମାଉଣ୍ଟଆବୁସ୍ଥିତ ଗ୍ଲୋବାଲ୍‌ ହସ୍ପିଟାଲରେ ଗୁରୁବାର ରାତି ୨ଟାରେ ତାଙ୍କର ପରଲୋକ ଘଟିଛି। ଗତ ଦୁଇମାସ ହେଲା ସେ ନିଃଶ୍ୱାସ ଏବଂ ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ଅନ୍ତିମ ସଂସ୍କାର ବ୍ରହ୍ମାକୁମାରୀ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ଶାନ୍ତିବନ ପରିସରରେ ସମ୍ପନ୍ନ ହୋଇଛି। ୧୯୧୬ରେ ହାଇଦ୍ରାବାଦ୍‌ ସିନ୍ଧ (ବର୍ତ୍ତମାନ ପାକିସ୍ତାନ)ଠାରେ ଦାଦୀ ଜାନକୀ ଜୀ ଜନ୍ମଗ୍ରହଣ କରିଥିଲେ। ୨୧ ବର୍ଷ ବୟସରେ ବ୍ରହ୍ମାକୁମାରୀ ଆଧ୍ୟାତ୍ମିକ ପଥରେ ନିଜକୁ ସମର୍ପିତ କରିଥିଲେ। ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଦାଦୀ ଜାନକୀ ଜୀ ବିଶ୍ୱର ୧୪୦ ଦେଶରେ ମାନବୀୟ ମୂଲ୍ୟବୋଧର ଶିକ୍ଷା ଦେଇଥିଲେ। ହଜାର ହଜାର ସେବାକେନ୍ଦ୍ରର ସ୍ଥାପନା କରାଇ ଲକ୍ଷ ଲକ୍ଷ ଲୋକଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇଥିଲେ। ମନ ଏବଂ ଆତ୍ମାର ସ୍ବଚ୍ଛତା ସହିତ ପରିବେଶ ସ୍ବଚ୍ଛତା ଲାଗି କାର୍ଯ୍ୟ କରିଥିବା ଦାଦୀଙ୍କୁ ଭାରତ ସରକାର ସ୍ବଚ୍ଛ ଭାରତ ମିଶନର ବ୍ରାଣ୍ଡ୍‌ ଆମ୍ବାସାଡାର୍‌ ନିଯୁକ୍ତ କରିଥିଲେ।