ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ

କଣିହାଁ, ୩ା୧୨(ଡି.ଏନ.ଏ.)

ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ବାଲିପଶିସାହିର ଏକ କୂଅରୁ ଗତ ୨୮ ତାରିଖରେ ଦୁର୍ଯ୍ୟୋଧନ ତୁଙ୍ଗଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ପରକୀୟା ପ୍ରୀତି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମୃତ ଦୁର୍ଯ୍ୟୋଧନଙ୍କ ପ୍ରେମିକା କୁହାଯାଉଥିବା ରେଙ୍ଗାଳି ଗ୍ରାମର ରିନା ସାମଲ(୪୦), ସ୍ବାମୀ ସୁବାସ ସାମଲ(୪୫) ଏବଂ ରିନାଙ୍କ ଭାଇ କୁନା ସାମଲ(୨୮)।
ରେଙ୍ଗାଳି ଥାନା ଆଇଆଇସି ସରୋଜକାନ୍ତ ସାମଲ କହିଛନ୍ତି, ବାଲିପଶିସାହିର ବିବାହିତ ଯୁବକ ଦୁର୍ଯ୍ୟୋଧନ ତୁଙ୍ଗ(୪୦) ଓ ରିନାଙ୍କ ମଧ୍ୟରେ କିଛିଦିନ ହେଲା ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଏହା ଜଣାପଡିବା ପରେ ଉଭୟ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଦୁର୍ଯ୍ୟୋଧନ ଓ ରିନା ଲୁଚାଛପାରେ ମିଳାମିଶା କରୁଥିଲେ। ଏହାକୁ ନେଇ ଦୁର୍ଯ୍ୟୋଧନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏପରିକି ବିବାଦ ଦୁର୍ଯ୍ୟୋଧନଙ୍କ ଶ୍ୱଶୁର ଘର ପର୍ଯ୍ୟନ୍ତ ଯାଇଥିଲା। ଶ୍ୱଶୁର ଘର ଲୋକେ ପହଞ୍ଚି ତାଙ୍କୁ ବୁଝାଶୁଝା ମଧ୍ୟ କରିଥିଲେ। ତେବେ ଏହି ଅନୈତିକ ସମ୍ପର୍କକୁ ନେଇ ବିବାଦ ବଢୁଥିବାରୁ ରିନାଙ୍କ ସ୍ବାମୀ ସୁବାସ ଏବଂ ଭାଇ କୁନା ଦୁର୍ଯ୍ୟୋଧନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୨୭ ତାରିଖ ବିଳମ୍ବିତ ରାତିରେ ସ୍ବାମୀଙ୍କ କହିବା ଅନୁସାରେ ପ୍ରେମିକା ରିନା ଦୁର୍ଯ୍ୟୋଧନଙ୍କୁ ଫୋନ କରି ଘର ପଛପାଖ କୂଅ ନିକଟକୁ ଡାକିଥିଲେ। ଦୁର୍ଯ୍ୟୋଧନ ସେଠାରେ ପହଞ୍ଚତ୍ବା ପରେ ପୂର୍ବରୁ ପ୍ରସ୍ତୁତ ଥିବା କୁନା ଏବଂ ସୁବାସ ଏକ ରଶିରେ ତାଙ୍କ ବେକକୁ ଚାପି ଧରିବା ସହ କୂଅକୁ ଫିଙ୍ଗି ଦେଇଥିଲେ। କିନ୍ତୁ ଦୁର୍ଯ୍ୟୋଧନ ମୃତ କି ଜୀବିତ ସନ୍ଦେହ ହେବାରୁ ଉଭୟେ ଏକ କଟୁରି ଧରି କୂଅ ଭିତରେ ପଶି ନିସ୍ତେଜ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ। ପରେ ରିନା କୂଅରେ ଦଉଡି ପକାଇ ଉଭୟଙ୍କୁ ବାହାରକୁ ଆସିବାରେ ସାହାଯ୍ୟ କରିଥିଲେ। ପରଦିନ ସକାଳେ ପୋଲିସ ମୃତଦେହ ଉଦ୍ଧାର କରିବା ସହ କୁନା ଓ ସୁବାସଙ୍କୁ ଅଟକ ରଖି ତଦନ୍ତ କରୁଥିଲା। ତେବେ ରିନାଙ୍କୁ ପଚରାଉଚରା ବେଳେ ସେ ସବୁ ସତକଥା ମାନିଯାଇଥିବା ଆଇଆଇସି ସାମଲ ସୂଚନା ଦେଇଛନ୍ତି।