ପଦ୍ମ ଧରିଲେ ସାଇନା ନେହଓ୍ବାଲ

ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ଅଲିମ୍ପିକ୍ସରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ନେହୱାଲ ପ୍ରଥମ ମହିଳା ବ୍ୟାଡମିଣ୍ଟନ ତାରକା ଭାବେ ଅଲିମ୍ପକ୍ସରେ ପଦକ ଜିତିଥିଲେ। ୨୦୧୫ ମସିହାରେ ସାଇନା ବିଶ୍ୱର ନମ୍ବର ୧ ବ୍ୟାଡମିଣ୍ଟନ ଖେଳାଳି ହୋଇପାରିଥିଲେ। ୧୧ଟି ସୁପରସିରିଜ ଟାଇଟଲ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ ଜିତଥିବା ସାଇନାଙ୍କୁ ପଦ୍ମଭୂଷଣ, ରାଜୀବ ଗାନ୍ଧୀ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ସାଇନା ଦଳରେ ଯୋଗଦେବା ଗର୍ବର ବିଷୟ ବୋଲି ଭାଜପା ମହାସଚିବ ଅରୁଣ ସିଂ କହିଛନ୍ତି। ସେହିପରି ସାଇନା କହିଛନ୍ତି, ଆଜି ଏକ ଭଲ ଦିନ। ଯେଉଁ ଦଳ ଦେଶ ପାଇଁ ଭଲ କାମ କରୁଛି ଆଜି ସେହି ଦଳରେ ସାମିଲ ହୋଇ ଖୁସି ଲାଗୁଛି। ଆଶା କରୁଛି ଦଳ ମାଧ୍ୟମରେ ଦେଶ ପାଇଁ କିଛି କାମ କରିପାରିବି।

Share