ପଦୋନ୍ନତି ଅଦାଲତ ଗଠନ କଲେ ସରକାର: ଠିକ୍‌ ସମୟରେ ପ୍ରକ୍ରିୟା ସାରିବାକୁ ଗୁରୁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ)- ରାଜ୍ୟ ସରକାର କର୍ମଚାରୀଙ୍କ ପଦୋନ୍ନତି ସମସ୍ୟା ସମାଧାନ ପାଇଁ ‘ପଦୋନ୍ନତି ଅଦାଲତ’ ଗଠନ କରିବାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଗୁରୁବାର ଗଣମାଧ୍ୟମକୁ ଅବଗତ କରାଯାଇଛି। ନିକଟରେ ସରକାର ବିଭିନ୍ନ ବର୍ଗର କର୍ମଚାରୀ ଯେପରି ଠିକ୍‌ ସମୟରେ ପଦୋନ୍ନତି ପାଇବେ ସେଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ସମ୍ପର୍କିତ ପ୍ରକ୍ରିୟା ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି କଡ଼ା ନିର୍ଦ୍ଦେଶ ମଧ୍ୟ ପ୍ରଶାସନରେ ପ୍ରତିଫଳିତ ହୋଇଥିଲା। ଏହା ଦ୍ୱାରା ରାଜ୍ୟର ୩୧୬୬ କର୍ମଚାରୀ ଗତ ଡିସେମ୍ବର ୩୧ ପୂର୍ବରୁ ପଦୋନ୍ନତି ପାଇଥିଲେ। ଏହି ସମୟ ମଧ୍ୟରେ ଯେଉଁମାନେ ପଦୋନ୍ନତି ପାଇପାରି ନାହାନ୍ତି, ତାହାକୁ ତ୍ୱରାନ୍ବିତ କରିବାରେ ଏହି ଅଦାଲତ ସହାୟକ ହେବ ବୋଲି ଆଶା କରାଯାଉଛି। ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବମାନଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଗଠନ କରାଯିବ। ପ୍ରତିବର୍ଷ ଜାନୁୟାରୀ ମାସର ଚତୁର୍ଥ ସପ୍ତାହରେ ପଦୋନ୍ନତି ଅଦାଲତର ବୈଠକ ବସିବ। କୌଣସି କାରଣରୁ ପଦୋନ୍ନତି ପାଇପାରି ନ ଥିବା କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ଅଦାଲତ ଜରିଆରେ କରାଯିବ। ଉଲ୍ଲେଖଯୋଗ୍ୟ, ବିଭିନ୍ନ କାରଣରୁ ପଦୋନ୍ନତି ପାଇ ପାରି ନ ଥିବା କର୍ମଚାରୀମାନେ ଅଦାଲତର ଦ୍ୱାରସ୍ଥ ହୋଇଥାଆନ୍ତି। ତେଣୁ ଏହି ଅଦାଲତ ଗଠିତ ହେବା ଦ୍ୱାରା କର୍ମଚାରୀମାନେ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ଆଶା କରାଯାଉଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ୫-ଟି ମନ୍ତ୍ରକୁ ଏହି ପ୍ରକ୍ରିୟାରେ କାର୍ଯ୍ୟ କରାଯିବ। ଏହା ସମ୍ପୂର୍ଣ୍ଣ ପଦୋନ୍ନତିରେ ସଂସ୍କାର ଏବଂ ସ୍ବଚ୍ଛତା ଆଣିବ ବୋଲି କୁହାଯାଉଛି।