ପଥର ଫିଙ୍ଗାକୁ ନେଇ ସୁନ୍ଦରଗଡ଼ରେ ଉତ୍ତେଜନା: ମୃଦୁ ଲାଠିଚାଳନା,ବ୍ୟାପକ ପୋଲିସ ମୁତୟନ

ସୁନ୍ଦରଗଡ଼,୧୪।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ପଥର ଫିଙ୍ଗା ଘଟଣାକୁ ନେଇ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଘଟଣାସ୍ଥଳରେ ଏସ୍‌ପି ସୋମ୍ୟ ମିଶ୍ରା ଏବଂ ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି।  ଅଞ୍ଚଳରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଅନ୍ୟ ଏକ ଗୋଷ୍ଠୀର ଲୋକଙ୍କ ଘର ଓ ରାସ୍ତା ଉପରକୁ ପଥର ମାଡ଼ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଥମେ ଟାଉନ୍‌ ଥାନା ପୋଲିସ ସେଠାରେ ପହଞ୍ଚିଥିଲା। ପଥର ମାଡରେ ଟାଉନ ଥାନା ଆଇଆଇସି ବୀଭିତ୍ସ ପ୍ରଧାନ ଆହତ ହୋଇଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ସତନ୍ତ୍ର ପୋଲିସ ଫୋର୍ସ ମୁତୟନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୋମବାର ସୁନ୍ଦରଗଡ଼ରେ ସିଏଏ ବିରୋଧରେ କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା କରାଯିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି ସମୟରେ କିଛି ସିଏଏ ସପକ୍ଷବାଦୀ ଉକ୍ତ ସ୍ଥାନକୁ ଆସି ପାଟିତୁଣ୍ଡ କରିବା ସହ ଜଣେ କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ପୋଲିସ ନାକେଦମ ହୋଇଥିଲା। ସନ୍ଧ୍ୟାରେ କଂଗ୍ରେସର ଏକ ପ୍ରତିନିଧି ଦଳ ସୁନ୍ଦରଗଡ଼ ଏସ୍‌ପି ସୋମ୍ୟା ମିଶ୍ରାଙ୍କୁ ସାକ୍ଷାତ କରିଥିଲେ। ଏଥିସହ ଟାଉନ ଥାନାରେ ମାଡ଼ ଖାଇଥିବା କଂଗ୍ରେସ କର୍ମୀ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ନେଇ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଥିବା ଆଶଙ୍କା କରାଯାଉଛି।