ପଣ୍ଡରାପଥର ଗାଁରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ: ଗାଁ ସଫେଇ ପାଇଁ ମହିଳା ପାଦ କାଢିଲେ

ନୂଆପଡା ଅଫିସ,୩୧|୭-ବର୍ତ୍ତମାନ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସଫା ସୁତୁରା କରିବାକୁ ନେଇ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି । ଏଥିରେ ଗାଁର ମହିଳାମାନେ ମଧ୍ୟ ଚାରିକାନ୍ଥ ଭିତରୁ ବାହାରି ମୁଣ୍ଡରୁ ପରଦା କାଢି ଗାଁ ସଫେଇ କାମ ପାଇଁ ଅଣ୍ଟା ଭିଡିଛନ୍ତି । ନୂଆପଡ଼ା ଜିଲା କୋମନା ବ୍ଲକ ବୁଦ୍ଧିକୋମନା ଗ୍ରାମପଞ୍ଚାୟତ ପଣ୍ଡରାପଥର ଗାଁରେ ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ ମଦର ଟେରେସା ସର୍ଭିସିଂ ସେଣ୍ଟର ଏବଂ ନେହେରୁ ଯୁବ କେନ୍ଦ୍ର ନେତୃତ୍ୱରେ ମହିଳାମାନେ ଘରୁ ବାହାରି ଅଭିଯାନରେ ସାମିଲ ରହିଥିବା ସମସ୍ତଙ୍କୁ ପ୍ରେରଣାର ଉତ୍ସ ହୋଇଛନ୍ତି। ଗାଁରେ ସଚେତନତା ରାଲି କରିଥିବା ବେଳେ ଗାଁର ସମସ୍ତ ଆବର୍ଜନା ସ୍ଥଳକୁ ସଫେଇ କରିଥିବା ଦେଖାଯାଇଛି ।
ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଗାଁର ମହିଳାମାନେ ଗାଁସାରା ବୁଲି ଘର ଅଗଣା ସଫା ସୁତୁରା ରଖିବାକୁ ବିଭିନ୍ନ ସ୍ଲୋଗାନମାନ ଦେଇ ସଚେତନତା କରିଥିଲେ। ଏଥିରେ ବିଭିନ୍ନ ଅନୁଷ୍ଠାନର ଶିଶୁ, ପୁରୁଷ କର୍ମୀମାନେ ମଧ୍ୟ ସାମିଲ ଥିଲେ। ଏହି ଗାଁ ସମେତ ଆଖପାଖ ଗାଁରେ ମଧ୍ୟ ସଚେତନତାର ବାର୍ତ୍ତା ଦେଇଛନ୍ତି। ଆଗାମୀ ଦିନରେ ଏହାକୁ ଜିଲାବ୍ୟାପି କରାଯିବ ବୋଲି ସଙ୍ଗଠନ ସମ୍ପାଦକ ପ୍ରଧାନୀ କହିଛନ୍ତି । ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ସଚେତନତା ସଭା ହୋଇଥିଲା। ଏଥିରେ ସଙ୍ଗଠନ ସମ୍ପାଦକ ଶେଷଦେବ ପ୍ରଧାନୀ ସଭାପତିତ୍ୱ କରିଥିବାବେଳେ ଗାଁର ଭଦ୍ରବ୍ୟକ୍ତିମାନେ ଯୋଗଦେଇଥିଲେ। ଗାଁକୁ ସଫା ରଖିବା ଦ୍ୱାରା କ’ଣ ସବୁ ସୁଫଳ ମିଳିଥାଏ ସେ ସମ୍ପର୍କରେ ଅତିଥିମାନେ ବୁଝାଇଥିଲେ। ଏହି ଅବସରରେ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ଏଥିରେ କୃତୀ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା । ଗ୍ରାମାଞ୍ଚଳର କୁନି ଛାତ୍ରୀଛାତ୍ରମାନେ ଏ କ୍ଷେତ୍ରରେ ଉଲ୍ଲେଖନୀୟ କୃତୀତ୍ୱ ପ୍ରଦର୍ଶନ କରିଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । କାର୍ଯ୍ୟକ୍ରମ ପରିଚାଳନାରେ ସଙ୍ଗଠନ ସମେତ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଫକୀର ରାଉତ, କନ୍ଦର୍ପ ଜଗତ, ଚନ୍ଦ୍ରୀଣୀ ନାଏକ, ପଙ୍କଜ ରାଉତ, ଥବିର ଶବର ପ୍ରମୁଖ ସହଯୋଗ କରିଥିଲେ।