ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ସନ୍ଦେହଜନକ ମୃତ୍ୟୁ

ଧର୍ମଶାଳା,୧୬ା୧୦(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକର ଗ୍ରାମସେବିକା ତଥା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ବୁଧବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସ୍ଥାନୀୟ ସରପଞ୍ଚଙ୍କ ନିଜସ୍ବ କାର୍ଯ୍ୟାଳୟ ପରିସରରେ ସ୍ମିତାରାଣୀ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇ ଘଟଣାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରାଯାଉଛି ବୋଲି ଆଲୋଚନା ହେଉଛି। ଖବର ପାଇ ପୋଲିସ ଧର୍ମଶାଳା ଡାକ୍ତରଖାନାରେ ପହଞ୍ଚତ୍ ମୃତଦେହକୁ ଜବତ କରିବା ସହ ବଡ଼ଚଣା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା(୧୬/୨୦୧୯) ରୁଜୁ କରାଯାଇଛି। ଅପରପକ୍ଷରେ ଝିଅ ଆତ୍ମହତ୍ୟା କରିଛି କି ତାଙ୍କୁ ହତ୍ୟା କରାଯାଇଛି ସେନେଇ ବିହିତ ତଦନ୍ତ ପାଇଁ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପିଇଓ ସ୍ମିତାରାଣୀ ମଙ୍ଗଳବାର ୧୫ତାରିଖ ଥିବାରୁ ଭତ୍ତା ବାଣ୍ଟିଥିଲେ। ବୁଧବାର ଅବଶିଷ୍ଟ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବାକୁ ଚାରିବାଟିଆ ଓ ଶୁଭଦ୍ରାପୁର ଗ୍ରାମକୁ ଯାଇଥିଲେ। ତାଙ୍କ ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ର ମଧ୍ୟ ଯାଇଥିଲେ। ସେଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଫେରି ମଧ୍ୟାହ୍ନ ଭୋଜନ ନିମନ୍ତେ ନିକଟରେ ଥିବା ସରପଞ୍ଚଙ୍କ ନିଜସ୍ବ କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ଖାଇବା ପୂର୍ବରୁ ବାଥ୍‌ରୁମକୁ ଯାଉଛି କହି ସେ ଉପର ମହଲାର ଏକ କୋଠରିକୁ ଯାଇଥିଲେ। ସେଠାରୁ ଫେରିବାରେ ବିଳମ୍ବ ହେବାରୁ ତଳେ ଅପେକ୍ଷାରତ ସରପଞ୍ଚଙ୍କ ସ୍ବାମୀ ଓ ସହଯୋଗୀମାନେ ତାଙ୍କୁ ଡାକିବାକୁ ଯାଇଥିଲେ। ତେବେ ଭିତରପଟୁ କବାଟ ବନ୍ଦଥିବାରୁ ସେମାନେ ଡାକ ମାରିଥିଲେ ା ରୁମ୍‌ ଭିତରୁ କିଛି ଜବାବ ନ ଆସିବାରୁ ସେମାନେ କବାଟଭାଙ୍ଗି ଭିତରେ ପ୍ରବେଶ କରିବା ବେଳକୁ ସ୍ମୀତାରାଣୀ ବେକରେ ଓଢ଼ଣି ଲଗାଇ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ବୋଲି ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର କହିଛନ୍ତି। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଜଣେ ମହିଳା ପିଇଓ ଅଫିସ କାର୍ଯ୍ୟରେ ଥିବାବେଳେ ଖାଇବାକୁ ଯାଇ କୋଠରି ମଧ୍ୟରେ ଆତ୍ମହତ୍ୟା କରିବା ଘଟଣାକୁ ସ୍ଥାନୀୟ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି। ମୃତା ସ୍ମୀତାରାଣୀଙ୍କ ବାପାଘର ଚୋରମୁହାଁ ଗ୍ରାମ ହୋଇଥିବାବେଳେ ସେ ଜେନାପୁର ଥାନା ଭୁବନପୁର ଗ୍ରାମର ସୁଶୀଲ କୁମାର ବିଶ୍ୱାଳଙ୍କୁ ୮ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ସାତ ବର୍ଷର ଏକ ଝିଅ ରହିଛି। ସ୍ବାମୀ ସୁଶୀଲ ତାଳଚେରସ୍ଥିତ ଏନ୍‌ଟିପିସିରେ କାର୍ଯ୍ୟ କରୁଛନ୍ତି।