ପଞ୍ଚାୟତସ୍ତରରେ ଚାଲିଛି କାଳିଆ ଫର୍ମ ଯାଞ୍ଚ:୨୫ ହଜାରରୁ ୨ ହଜାର ଅଯୋଗ୍ୟ

ଅନୁଗୋଳ ଅଫିସ, ୧୩।୮

କାଳିଆ ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଶନିବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହୋଇଛି। ପଞ୍ଚାୟତସ୍ତରରୁ ଏହି ଯାଞ୍ଚ କରାଯାଉଥିବା ବେଳେ ଏବେ ବିଭିନ୍ନ ବ୍ଲକରୁ ରିପୋର୍ଟମାନ ଆସିବାରେ ଲାଗିଛି। ୩ ଦିନ ମଧ୍ୟରେ ଯାଞ୍ଚ ସରିଥିବା ମାତ୍ର ୨୫ ହଜାର ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୨ ହଜାର ଅଯୋଗ୍ୟଙ୍କୁ ଚିହ୍ନଟ କରାଯାଇଛି। ତେବେ ଧରାପଡ଼ିଥିବା ଏହି ଅଯୋଗ୍ୟଙ୍କ ଫର୍ମକୁ ପୁନର୍ବାର ଚେକିଂ କରାଯାଉଥିବା ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
କାଳିଆ ଯୋଜନାରେ ସାମିଲ ହେବାକୁ ଅନୁଗୋଳ ଜିଲାରୁ ମୋଟ ୧ ଲକ୍ଷ ୬୮ ହଜାର ୬୭୨ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୬ ହଜାର ୧୦୫ ହିତାଧିକାରୀଙ୍କୁ ସରକାର ନିର୍ବାଚନ ପୂର୍ବରୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ଦେଇଥିଲେ। ଏଥିପାଇଁ ୬୮ କୋଟି ୫ ଲକ୍ଷ ଟଙ୍କା ଅନୁଗୋଳ ଜିଲାକୁ ପ୍ରଦାନ କରାଯାଇଥିଲା। ହେଲେ ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା କୃଷି ବିଭାଗ ଆରମ୍ଭ କରିଥିବାରୁ ଜିଲାର ଅନୁଗୋଳ, ବଅଁରପାଳ, ଛେଣ୍ଡିପଦା, ତାଳଚେର, କଣିହଁା, ପାଲଲହଡ଼ା, ଆଠମଲ୍ଲିକ ଓ କିଶୋରନଗର ବ୍ଲକରୁ କିଛି କିଛି ଅଯୋଗ୍ୟ ହିତାଧିକାରୀ ନାମ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଆସିଛି। ଜିଲାରେ ପଞ୍ଜୀକୃତଙ୍କ ମଧ୍ୟରୁ ଅଦ୍ୟାବଧି ୨୨ ହଜାର ୫୪୮ ଜଣଙ୍କ ଯାଞ୍ଚ ଶେଷ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ କଣିହାଁରେ ୯ ହଜାର ଫର୍ମ ଯାଞ୍ଚ ସରିଥିବାବେଳେ ଛେଣ୍ଡିପଦାରେ ପାଖାପାଖି ୬ ହଜାର ହିତାଧିକାରୀଙ୍କ ଯାଞ୍ଚ ସରିଛି। ଏହି ଯାଞ୍ଚ ବେଳେ ପାଖାପାଖି ୨ ହଜାର ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଛନ୍ତି। ସେମାନଙ୍କ ଫର୍ମକୁ ଆଉଥରେ କ୍ରସ୍‌ ଚେକିଂ କରୁଛି କୃଷି ବିଭାଗ। ପଞ୍ଚାୟତ ସ୍ତରରେ ଥିବା ନୋଡାଲ ଅଫିସର ଫର୍ମ ଯାଞ୍ଚ କରୁଥିବାବେଳେ ପରେ ବ୍ଲକ ଓ ଜିଲାସ୍ତରୀୟ ନୋଡାଲ ଅଫିସର ତାହାକୁ ଯାଞ୍ଚ କରିବେ। ସମସ୍ତ ରିପୋର୍ଟ ଆସିବା ପରେ ଜିଲା ଉପ କୃଷି ନିର୍ଦ୍ଦେଶକ ଉକ୍ତ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାରେ ମୋହର ମାରିବେ। ଯାଞ୍ଚ ଚାଲିଥିବାରୁ ଆଗାମୀ ଦିନରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନଁା ପଦାକୁ ଆସିବ ବୋଲି ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।