Categories: ଅନୁଗୋଳ

ପଚା ଅଦା ବିହନ ବାଣ୍ଟି ଟଙ୍କା ହଡ଼ପ ଉଦ୍ୟମ ଅଭିଯୋଗ: ଯୋଗାଣକାରୀ ସଂସ୍ଥାକୁ ମିଳିବନି ଟଙ୍କା

ପାଲଲହଡ଼ା, ୧୯ା୭(ଡି.ଏନ.ଏ.)-ପାଲଲହଡ଼ା ଉପଖଣ୍ଡରେ ପାଉଡି ଭୂଁୟାଙ୍କ ଉନ୍ନତି ପାଇଁ ଗଠନ କରାଯାଇଥିବା ପାଉଡି ଭୂଁୟା ଉନ୍ନୟନ ସଂସ୍ଥା (ପିବିଡିଏ) ପକ୍ଷରୁ ଆଦିବାସୀ ଚାଷୀଙ୍କୁ ପଚା ତଥା ନିମ୍ନମାନର ଅଦା ବିହନ ଯୋଗାଯାଇଥିବା ଅଭିଯୋଗ ହୋଇଛି। ଏ ବାବଦରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଆସିବା ପରେ ଉପଜିଲାପାଳ ଅଜିତ କୁମାର ପ୍ରଧାନ ଯୋଗାଣ ହୋଇଥିବା ଅଦାର ନମୁନା ସଂଗ୍ରହ କରି ଏହାର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ ଚିଠି ନଂ ୩୦୧୫/୧୭ା୭ା୨୦୧୯ରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏଥିରେ ସଂସ୍ଥା ପକ୍ଷରୁ ଯୋଗାଣ କରାଯାଇଥିବା ଅଦା ବିହନରେ ୬୦ ଭାଗ ଅଦା ପଚା ଥିବା ଉଲ୍ଲେଖ କରାଯାଇଥିବାବେଳେ ଉକ୍ତ ସଂସ୍ଥାକୁ ଟଙ୍କା ନ ଦେବାକୁ ରିପୋର୍ଟରେ କୁହାଯାଇଛି। ପୁଣିଥରେ ଚାଷୀଙ୍କୁ ଉଚ୍ଚମାନର ବିହନ ଯୋଗାଣ ପାଇଁ ଉକ୍ତ ରିପୋର୍ଟରେ ସୁପାରିସ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଉପଖଣ୍ଡରେ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗର ଓପିଇଏଲଆଇପି ଯୋଜନାକୁ ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ସ୍ବେଚ୍ଛାସେବୀ ସଙ୍ଗଠନ କାର୍ଯ୍ୟକାରୀ କରୁଛି। ଚଳିତ ବର୍ଷ ନାଗିରା, ବରଡ଼ିହ ଏବଂ ବନ୍ଧାଭୂଇଁ ପଞ୍ଚାୟତର ୧୨ଟି ଗାଁରେ ଚାଷ ପାଇଁ ଅଦା ବିହନ ବଣ୍ଟା ହେବ ପାଇଁ ସ୍ଥିର କରାଯାଇଥିବା ବେଳେ ପିବିଡିଏ କର୍ତ୍ତୃପକ୍ଷ ଏବଂ ଉକ୍ତ ସ୍ବେଚ୍ଛାସେବୀ ସଙ୍ଗଠନ ଏହାକୁ ସ୍ଥାନୀୟ ପରଚେଜ କମିଟିର ବିନା ଅନୁମୋଦନ ଓ ବିନା ଟେଣ୍ଡରରେ ଭୁବନେଶ୍ୱରର ଭଞ୍ଜପ୍ରଭା ନାମକ ଏକ ସଂସ୍ଥାକୁ ବିହନ ଯୋଗେଇବା ପାଇଁ କହିଥିଲେ। ପରେ ଉକ୍ତ ସଂସ୍ଥI ପକ୍ଷରୁ ଏହି ୧୨ ଗାଁରେ ଚାଷୀ ମାନଙ୍କୁ ୩୭ କୁଇଣ୍ଟାଲ ଅଦା ବିହନ ବଣ୍ଟନ କରାଯାଇଥିଲା। ଏହା ବାବଦକୁ ୫ ଲକ୍ଷ ୧୮ ହଜାର ଟଙ୍କାର ବିଲ୍‌ ପ୍ରସ୍ତୁତ କରାଯାଇଥିଲା। ତେବେ ବଣ୍ଟନ କରାଯାଇଥିବା ଅଦା ବିହନ ପଚା ବାହାରିବାରୁ ଚାଷୀମାନେ ପାଲଲହଡା ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏ ସମ୍ପର୍କରେ ପିବିଡିଏ ସ୍ବତନ୍ତ୍ର ଅଧିକାରୀ ଉଦିତ କୁମାର ପୁରୋହିତଙ୍କୁ ନମ୍ବର ୯୩୩୭୦୮୯୪୯୬ରେ ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରିନାହିଁ। ସେହିପରି ସମ୍ପୃକ୍ତ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରେ ସେ କୌଣସି ମତାମତ ଦେବା ପାଇଁ ମନା କରିଦେଇଥିଲେ। ଉପଜିଲାପାଳ ପ୍ରଧାନ କହିଛନ୍ତି, ତଦନ୍ତ ବେଳେ ମୋତେ ସଂସ୍ଥା ପକ୍ଷରୁ କୌଣସି ସନ୍ତୋଷ ଜନକ ଦସ୍ତାବିଜ ଦିଆଯାଇ ନାହିଁ। ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଦେଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ କହିଛନ୍ତି।