ପଙ୍କଜିନୀ, ବିପିନଙ୍କୁ ଶ୍ରଦ୍ଧାଞ୍ଜଳି: ‘ଶୂନ୍ୟତା ଅନୁଭବ କରିବେ ଜିଲାବାସୀ’

ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ପ୍ରଶାସନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁବାର ବିଶିଷ୍ଟ କବୟିତ୍ରୀ ‘ହାସ୍ୟବିଦ୍ୟୁଷୀ’ ପଙ୍କଜିନୀ ଦାଶ ଏବଂ ନାଟ୍ୟକାର ବିପିନ ବିହାରୀ ପଟ୍ଟନାୟକଙ୍କୁ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଆୟୋଜିତ ସ୍ମୃତିସଭାରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି କହିଲେ, ପଙ୍କଜିନୀ ଏବଂ ବିପିନଙ୍କ ଶୂନ୍ୟତା ସବୁବେଳେ ଜିଲାବାସୀ ଅନୁଭବ କରିବେ। ଉଭୟେ ଉତ୍ତରପିଢ଼ିଙ୍କ ପାଇଁ ସର୍ବଦା ଆଦର୍ଶ ହୋଇରହିବ। ସେମାନଙ୍କ କୃତୀଗୁଡ଼ିକୁ ସାଉଁଟି ରଖିପାରିଲେ ଏହା ହିଁ ହେବ ସେମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି।
ପ୍ରାରମ୍ଭରେ ଉଭୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା।
ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ମନୋରଞ୍ଜନ ନନ୍ଦ, ସୁଦର୍ଶନ ମାଟି, ପ୍ରଦ୍ୟୁମ୍ନ ରଥ, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ବସନ୍ତ ପଟ୍ଟନାୟକ, ରମା ସିଂ, ବିଶ୍ୱନାଥ ବେହେରା, ଶରତ ମିଶ୍ର ଭରଦ୍ୱାଜ, ପରେଶ ପଟ୍ଟନାୟକ, ଦୀଲିଶ୍ୱର ମହାରଣା, ଶତ୍ରୁଘ୍ନ ମାଟି, ବନମାଳୀ ମଲ୍ଲିକ, ଅଥୟ ସାହୁ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ଜିଲା ସଂସ୍କୃତି ପରିଷଦ ସଂଯୋଜକ ଅବନୀ ମିଶ୍ର, ଜିଲା ସଂସ୍କୃତି ଅଧିକାରୀ ଲକ୍ଷ୍ମୀଧର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।