ନୟାହାଟରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣକୁ ବିରୋଧ

ଚାନ୍ଦବାଲି, ୨୦।୯ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ନୟାହାଟ ଗଁାରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏ ନେଇ ଶୁକ୍ରବାର ଜମି ଅଧିଗ୍ରହଣ ବେଳେ ଲୋକେ ଏହାକୁ ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ସହ ଗ୍ରାମବାସୀଙ୍କ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କୁ ବୁଝାଶୁଝା କରିବା ପରେ ପୋଲିସ ଉପସ୍ଥିତିରେ ସେଠାରେ ମେଶିନ ସହାୟତାରେ ଜମିକୁ ପରିଷ୍କାର କରାଯାଇ ସମତୁଲ କରାଯାଇଛି। ତେବେ ନିର୍ମାଣର ପ୍ରାଥମିକ ପର୍ଯ୍ୟାୟ ମୃତ୍ତିକା ପରୀକ୍ଷା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।