ନୟାପଲ୍ଲୀରେ ପୂଜାପାଇବେ ୩୫ ଫୁଟ ଗଣେଶ

ଭୁବନେଶ୍ୱର,୨୦୮(ବ୍ୟୁରୋ): ନୟାପଲ୍ଲୀ ନୂଆସାହି ଆଖଣ୍ଡଳମଣୀ ପୂଜା କମିଟି ଏବଂ ମୌରିଆ ଗ୍ରୁପ୍‌ ଆନୁକୂଲ୍ୟରେ ଚଳିତବର୍ଷ ପ୍ରଥମଥର ପାଇଁ ଗଣେଶ ପୂଜା ମହାଆଡ଼ମ୍ବରରେ ଆୟୋଜିତ ହେବ। ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ମୁଖ୍ୟ ଆକର୍ଷଣ ରହିବ। କଲିକତାରୁ ଆସିଥିବା କାରିଗରମାନେ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଥିବାବେଳେ ଏଥିରେ କୌଣସି ପ୍ରକାର ରାସାୟନିକ ପଦାର୍ଥର ବ୍ୟବହାର କରାଯାଉନାହିଁ। ଏନେଇ ଆଖଣ୍ଡଳମଣୀ ସେବା ସଂସଦ ପରିସରରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ କମିଟି ସମ୍ପାଦକ ସାଗର ବଳବନ୍ତରାୟ ସୂଚନା ଦେଇଛନ୍ତି। ସେ କହିଲେ, ଚଳିତବର୍ଷ ଗଣେଶ ପୂଜାକୁ ଅନ୍ୟମାନଙ୍କଠାରୁ ଭିନ୍ନ କରାଯିବ। ମୂର୍ତ୍ତି ରଙ୍ଗ କରିବାକୁ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର କରା ନ ଯିବାକୁ ସ୍ଥିର ହୋଇଛି। ପୂଜାରେ ପ୍ରଭୁ ଗଣେଶଙ୍କ ନିକଟରେ ୩୫ କିଲୋଗ୍ରାମର ଲଡୁ ଭୋଗ ଲାଗିହେବା ସହ ଶ୍ରଦ୍ଧାଳୁଙ୍କ ପାଇଁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୭ ତାରିଖରେ ପୂଜାର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବାସହ ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯିବ। ଏହାସହ ପରିବେଶ ସୁରକ୍ଷା ପାଇଁ ଆୟୋଜକଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ୮ରେ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ। କମିଟିର ବରିଷ୍ଠ ସଦସ୍ୟ ଦେବବ୍ରତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀରେ କମିଟି ସଭାପତି ସୁମନ୍ତ ସାମନ୍ତରାୟ, ରାକେଶ ମହାନ୍ତି, ସୁଜିତ ରାୟ, ସନ୍ତୋଷ କୁମାର ସାହୁ, ବିଦ୍ୟାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।