ନୟାଗଡ଼ ମେଡ଼ିକାଲ ବୁଲିଲେ ୩ ପ୍ରମୁଖ ଅଧିକାରୀ

ନୟାଗଡ଼ ଅଫିସ,୧୨ା୧୦: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହାର ତଦାରଖ ପାଇଁ ଶୁକ୍ରବାର ୩ ପ୍ରମୁଖ ଅଧିକାରୀ ନୟାଗଡ଼ ଜିଲା ଗସ୍ତ କରିଥିଲେ। ସେମାନେ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି ବିଭାଗ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ଅଧ୍ୟକ୍ଷା ଶାଳିନୀ ପଣ୍ଡିତ। ଅଧିକାରୀମାନେ ବୌଦ୍ଧରୁ ଏକ ହେଲିକପ୍ଟର ଯୋଗେ ଆସି ଅପରାହ୍ନ ୧ଟା ୩୦ରେ ନୟାଗଡ଼ ଷ୍ଟାଡ଼ିୟମଠାରେ ଓହ୍ଲାଇଥିଲେ। ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଓ ଶିଶୁ ଚିକିତ୍ସାଳୟକୁ ଯାଇ ବିଭିନ୍ନ ୱାର୍ଡ଼ ବୁଲି ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ସେମାନଙ୍କ ସୁବିଧାଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହା ପରେ ଡାଏଲିସିସ୍‌ ୱାର୍ଡ଼କୁ ଯାଇ ସେଠାରେ ଚିକିତ୍ସାଧୀନ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ମେଡ଼ିକାଲ୍‌ରେ ମିଳୁଥିବା ସ୍ବାସ୍ଥ୍ୟସେବା ବିଷୟରେ ପଚାରି ବୁଝିଥିଲେ। ସେଠାରେ ଜଣେ କର୍ମଚାରୀ ଠିକ୍‌ ଭାବେ କାମକରୁ ନ ଥିବାରୁ ତାଙ୍କ ଉପରେ ୫ ଟି ସଚିବ ବିରକ୍ତି ପ୍ରକାଶ କରିଥିଲେ। ଏହା ପରେ ଅଧିକାରୀମାନେ ଜିଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀ, ଡାକ୍ତର ଓ କର୍ମଚାରୀଙ୍କ ସହିତ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ବୈଠକ ସମ୍ପର୍କରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ର କହିଥିଲେ, ରୋଗୀମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା, ମେଡ଼ିସିନ୍‌ ୱାର୍ଡ଼ରେ ଶଯ୍ୟା ସଂଖ୍ୟା ବଢାଯିବା, ରୋଗୀମାନଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ରେଷ୍ଟଶେଡ୍‌ ନିର୍ମାଣ, ବ୍ଲଡ଼ ବ୍ୟାଙ୍କର ଉନ୍ନତୀକରଣ ନେଇ ଆଲୋଚନା ହୋଇଥିଲା। ସେହିପରି ଆଗାମୀ ଦିନରେ ଡାକ୍ତର ସମସ୍ୟା ସମାଧାନ କରାଯିବା ନେଇ ସଚିବମାନେ ପ୍ରତିଶ୍ରୁତି ଦେଇଥିବା ସିଡିଏମ୍‌ଓ ପ୍ରକାଶ କରିଥିଲେ। ଅଧିକାରୀମାନେ ବୁଲିବା ସମୟରେ ଜିଲାପାଳ ଡା. ପୋମା ଟୁଡୁ, ଏସ୍‌ପି ଶଶିଭୂଷଣ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବାରୁ ସ୍ଥାନୀୟ ଲୋକେ ଏ ନେଇ ସଚିବମାନଙ୍କୁ ଆପତ୍ତି କରିିବାକୁ ଥିଲେ ମଧ୍ୟ ସୁଯୋଗ ନ ମିଳିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।