ନୟାଗଡ଼ ଚିନିକଳ କାର୍ଯ୍ୟକ୍ଷମ ଦାବି: ଆସନ୍ତା ୬ରେ ଜିଲା ବନ୍ଦ ଡାକରା

ଓଡ଼ଗାଁ,୧।୩(ସ୍ବ.ପ୍ର.)-୫ ବର୍ଷ ହେଲା ବନ୍ଦ ରହିଥିବା ନୟାଗଡ ଚିନିକଳକୁ କାଯର୍‌ୟକ୍ଷମ କରିବାକୁ ଚିନିକଳ କ୍ରିୟାନୁଷ୍ଠାନ କମିଟି ମାର୍ଚ୍ଚ ୬ ତାରିଖରେ ଜିଲା ବନ୍ଦ ସହିତ ହରତାଳ ଡାକରା ଦେଇଛି । ଏହି କ୍ରମରେ କମିଟିର କର୍ମକର୍ତ୍ତାଙ୍କ ସହିତ କେତେକ ଚାଷୀ ଓ ସମର୍ଥକ ନୟାଗଡରୁ ଏକ ସାଇକେଲ ଶୋଭାଯାତ୍ରାରେ ଆସି ଶନିବାର ସନ୍ଧ୍ୟାରେ ଓଡଗଁା ବଜାରରେ ପହଞ୍ଚତ୍ଥିଲେ । ବଜାର ଛକରେ ଅଚ୍ୟୁତାନନ୍ଦ ପଣ୍ଡାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଶୋଭାଯାତ୍ରାକୁ ସ୍ବାଗତ କରିଥିଲେ । ଚିନିକଳ ଚଳାଇବା ନିମନ୍ତେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଆନ୍ତରିକତା ନ ଥିବା ବକ୍ତାମାନେ ଅଭିଯୋଗ କରିଥିଲେ।  ସେହିପରି ନିର୍ବାଚନ ପ୍ରତିଶ୍ରୁତିକୁ ଭୁଲିଯାଇ ସ୍ଥାନୀୟ ନେତାମାନେ ବିଚାର ବିଭାଗୀୟ ମାଲିମକଦ୍ଦମାର ଦ୍ୱାହିଦେଇ ଚାଷୀମାନଙ୍କୁ ଭୁଆଁ ବୁଲାଉଥିବା ମଧ୍ୟ କହିଥିଲେ । ଏଥିନିମନ୍ତେ ଜିଲାବ୍ୟାପୀ ସେମାନେ ଦେଇଥିବା ବନ୍ଦ ଡାକରାକୁ ସମର୍ଥନ କରିବା ପାଇଁ ଜିଲାବ୍ୟାପୀ ଗାଁକୁ ଗାଁ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ବାହାରି ଜନ ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଥିବା ପ୍ରକାଶ କରିଥିଲେ । ବିଶ୍ୱନାଥ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, ଶିବରାମ ମହାପାତ୍ର, ପବିତ୍ର ଇନ୍ଦ୍ରଜିତ ଓ ମନୋଜ କୁମାର ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।