ନୟାଗଡ଼ର ଭାପୁରରେ କରୋନା ସନ୍ଦିଗ୍ଧ: ଆକ୍ରାନ୍ତ ରୋଗୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନୟାଗଡ ଅଫିସ/ଭାପୁର,୧୩।୩(ଡି.ଏନ୍‌.ଏ.): ନୟାଗଡ ଜିଲା ଭାପୁର ବ୍ଲକରେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସନ୍ଦେହ କରାଯାଉଛି । ଗୁରୁବାର ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବାଘୁଆପଲ୍ଲୀ ବଳଦିଆ ନୂଆଗାଁର ଜଣେ ଥଣ୍ଡାକାଶରେ ଆକ୍ରାନ୍ତ ରୋଗୀଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି । ଏହା ପ୍ରଚାର ହେବା ପରେ ସାଧାରଣରେ କରୋନା ଭୟ ସଞ୍ଚାର ହୋଇଛି।
ସୂଚନା ଅନୁସାରେ, ବଳଦିଆ ନୂଆଗାଁର ଜଣେ ବ୍ୟକ୍ତି ଦୀର୍ଘଦିନ ହେଲା ତାମିଲନାଡୁରେ ରହୁଥିଲେ । ସେ କିଛି ଦିନ ହେଲା ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ଥାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ସେ ଘରକୁ ଚାଲି ଆସିଥିଲେ । ଏଭଳିସ୍ଥଳେ ପୁଣି ଅସୁସ୍ଥତା ଅନୁଭବ କରିବା ପରେ ଗୁରୁବାର ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଏନେଇ ସିଡିଏମ୍‌ଓ ଡା.ଶ୍ୱେତ ମହାପାତ୍ର କୁହନ୍ତି, ବଳଦିଆ ନୂଆଗାଁର ସମ୍ପୃକ୍ତ ବ୍ୟକ୍ତି କରୋନା ଆକ୍ରାନ୍ତ ନୁହନ୍ତି । ତେବେ ଥଣ୍ଡା କାଶ ନ କମିବାରୁ ତାଙ୍କୁ ଭୁବନେଶ୍ୱର ପଠାଯାଇଛି । ଏଥିରେ ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି ।