ନ୍ୟାୟ ପାଇଁ ଦିବାରାତ୍ର ଅନଶନରେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୮।୧୧- ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁ ରାଜ୍ୟର ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭଳି ୪ଗୋଟି ବିଶ୍ୱବିଦ୍ୟାଳୟର ବିଏଡ୍‌-ଏମ୍‌ଏଡ୍‌ ଛାତ୍ରୀଛାତ୍ରମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା (ଓଟିଇଟି, ସିଟିଇଟି, ଓଏସ୍‌ଏସ୍‌ଟିଇଟି) ଦେଇପାରୁ ନ ଥିବାରୁ ଏହାର ପ୍ରତିବାଦରେ ବିରୋଧ , ଆନ୍ଦୋଳନ ଜାରି ରଖିଛନ୍ତି। ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ନ୍ୟାୟ ପାଇଁ ମଙ୍ଗଳବାରଠାରୁ ଜିଲାପାଳ ଅଫିସ୍‌ ପରିସରରେ ଦିବାରାତ୍ର ଅନଶନରେ ବସିଛନ୍ତି। ବୁଧବାର ରାତି ୮ଟା ସୁଦ୍ଧା ୩୬ ଘଣ୍ଟା ବିତିଥିଲେ ବି ପ୍ରଶାସନର ଅଧିକାରୀମାନେ ସେମାନଙ୍କ ଦାବିକୁ ପୂରଣ କରିବାରେ ବିଫଳ ହୋଇଛନ୍ତି।
ଏସବୁ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଓ ଏମ୍‌ଏଡ଼୍‌ ପାଶ୍‌ କରିଥିବା ପ୍ରାର୍ଥୀଙ୍କୁ କେବଳ ମହାବିଦ୍ୟାଳୟରେ ନିଯୁକ୍ତି ଦେବା ପାଇଁ ସରକାର ନିୟମ କରି ହାଇସ୍କୁଲରେ ଶିକ୍ଷକତା କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏପରିସ୍ଥଳେ ସେମାନଙ୍କୁ ମହାବିଦ୍ୟାଳୟରେ ନିଯୁକ୍ତି ନ ମିିଳିବାର ସେମାନେ ହତାଶ ହୋଇ ପ୍ରତିବାଦ କରି ଆସୁଛନ୍ତି। ପୂର୍ବରୁ ସେମାନେ ବହୁବାର ରାଜ୍ୟ ଓ କେନ୍ଦ୍ରର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ରୀଛାତ୍ରଙ୍କୁ ଭଣ୍ଡାଇ ଦିଆଯାଉଥିବା ବିଏଡ୍‌-ଏମ୍‌ଏଡ୍‌ରେ ପାଶ୍‌ କରିଥିବା ଛାତ୍ର ନିଲେଶ କୁମାର ସ୍ବାଇଁ, ଦ୍ୱିତୀୟବର୍ଷର ଛାତ୍ର ଲକ୍ଷ୍ମୀନାରାୟଣ ନାୟକ, ରଶ୍ମିରଞ୍ଜନ ଜେନା, ଇରମ୍‌ ସ୍ବାଇଁ, ଛାତ୍ରୀ ସୁପ୍ରଭା ପଣ୍ଡା, ସରିତା ସାହୁ, ତୃତୀୟବର୍ଷର ଛାତ୍ରୀ ଶ୍ରାବଣୀ ବେହେରା, ଉତ୍ସର୍ଗ ଜେନା, ପ୍ରୟବ୍ରତ ସେନାପତି ପ୍ରମୁଖ ଅଭିଯୋଗ କରିଛନ୍ତି। ଅତିରିକ୍ତ ଜିଲାପାଳ ସମ୍ବିତ ନାୟକଙ୍କ ସମେତ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, କେନ୍ଦ୍ରାଞ୍ଚଳ ଆର୍‌ଡ଼ିସି ଇଂ. ଅନୀଲ କୁମାର ସାମଲଙ୍କ ସହ ବୁଧବାର ଏକ ଛାତ୍ର ପ୍ରତିନିଧି ଦଳ ଆଲୋଚନା କରିଥିଲେ ମଧ୍ୟ ପୂର୍ବ ପ୍ରତିଶ୍ରୁତିକୁ ଦୋହରା ଯାଇଥିବାରୁ ସେମାନେ ଆନ୍ଦୋଳନ ଜାରି ରଖିଥିବା କହିଛନ୍ତି।