ନୋ ପାର୍କିଂକୁ ନେଇ ଅଡ଼ୁଆ

ଅନୁଗୋଳ ଅଫିସ, ୨୯ା୫ – ଅନୁଗୋଳ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗୁରୁବାର ନୋ ପାର୍କିଂ ବୋର୍ଡ ଲଗାଯାଇଛି। ଫଳରେ ଏଠାରେ ଗାଡ଼ି ପାର୍କିଂ କରୁଥିବା ସରକାରୀ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ଅଡ଼ୁଆରେ ପଡ଼ିଛନ୍ତି। ପ୍ରଶାସନର ନିର୍ଦ୍ଦେଶ ମୁତାବକ ବୋର୍ଡ ଲଗାଯାଇଥିବା ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ପ୍ରକାଶ ଯେ, ଅନୁଗୋଳ ଜେଲ୍‌ ଛକ ଠାରୁ ଷ୍ଟେଟ ବ୍ୟାଙ୍କ ଛକ ମଧ୍ୟରେ ଏଣିକି ଗାଡ଼ି ରଖିବାକୁ ବାରଣ କରାଯାଇଛି। ବିଭିନ୍ନ ସମୟରେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ପ୍ରଶାସନ ପକ୍ଷରୁ ଏହି ନଷ୍ପତ୍ତି ନିଆଯାଇଛି। କିନ୍ତୁ ଉକ୍ତ ରାସ୍ତା ପାର୍ଶ୍ୱରେ ତାମଡା କାର୍ଯ୍ୟାଳୟ, ଅବକାରୀ ବିଭାଗ ଅଫିସ, ସମଗ୍ରଶିକ୍ଷା କାର୍ଯ୍ୟାଳୟ, ସବ୍‌ରେଜେଷ୍ଟ୍ରି ଅଫିସ, ଇଣ୍ଡିଆନ୍‌ ବ୍ୟାଙ୍କ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଏସବୁ ସ୍ଥାନକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି କାର୍ଯ୍ୟାଳୟ ଭିତରକୁ ଯାଇଥାନ୍ତି। ଏହାଛଡ଼ା କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ଗାଡ଼ି ପାର୍କିଂ ମଧ୍ୟ ରାସ୍ତା ପାର୍ଶ୍ୱରେ କରାଯାଉଥିଲା। ତେବେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ଗାଡ଼ି ରଖିବାକୁ ବାରଣ କରାଯିବାରୁ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ। ପ୍ରଶାସନ ପକ୍ଷରୁ ପାର୍କିଂ ବ୍ୟବସ୍ଥା କରା ନ ଯାଇ କାହିଁକି ହଠାତ୍‌ ଏପରି ବୋର୍ଡ ଲଗାଇ ଦିଆଗଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲା କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।