ନେସ୍କୋର ବକେୟା ବିଦ୍ୟୁତ୍‌ ବିଲ ଆଦାୟ, ସଂଯୋଗ ବିଚ୍ଛିନ୍ନ ଅଭିଯାନ: ୪ ଦିନରେ ଆଦାୟ ହେଲା ୫କୋଟି ୩୭ଲକ୍ଷ

ବାଲେଶ୍ୱର ଅଫିସ, ୨୧।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ପକ୍ଷରୁ ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ୧୩୨ଟି ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବକେୟା ବିଦ୍ୟୁତ୍‌ ବିଲ ଆଦାୟ ଓ ସଂଯୋଗ ବିଚ୍ଛିନ୍ନ ଅଭିଯାନ ଆରମ୍ଭ କରାଯାଇଛି। ବୁଧବାର ସୁଦ୍ଧା ୪ ଦିନରେ ୨୦, ୨୨୧ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୫ କୋଟି ୩୭ଲକ୍ଷ ୨୭ହଜାର ଟଙ୍କା ଆଦାୟ ହୋଇଛି। ୩୭୩୨ ଜଣ ଉପଭୋକ୍ତାଙ୍କର ୭ କୋଟି ୩୫ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିବା ବିଭାଗୀୟ ପକ୍ଷରୁ ଗୁରୁବାର ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।
ବାଲେଶ୍ୱର ଜିଲାର ୩୮ଟି ସ୍କ୍ବାଡ଼ ମାଧ୍ୟମରେ ୩୫୭୫ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୯୪ଲକ୍ଷ ୮୯ହଜାର ଟଙ୍କା ଆଦାୟ ହୋଇଛି। ୧୨୮୬ ଉପଭୋକ୍ତାଙ୍କର ୧କୋଟି ୫୪ଲକ୍ଷ ୨୭ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ସେହିପରି ଭଦ୍ରକରେ ୨୪ଟି ସ୍କ୍ବାଡ଼୍‌ ମାଧ୍ୟମରେ ୧୭୭୯ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୭୫ଲକ୍ଷ ୬୫ହଜାର ଟଙ୍କା ଆଦାୟ ହୋଇଛି। ୬୮୩ ଉପଭୋକ୍ତାଙ୍କର ୧କୋଟି ୪୦ଲକ୍ଷ ୩୨ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ଯାଜପୁରରେ ୨୦ଟି ସ୍କ୍ବାଡ଼୍‌ ମାଧ୍ୟମରେ ୧୩୭୮ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୯୮ଲକ୍ଷ ୮୭ହଜାର ଟଙ୍କା ଆଦାୟ ହୋଇଛି। ୩୦୦ ଉପଭୋକ୍ତାଙ୍କର ୭୦ଲକ୍ଷ ୧୭ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ମୟୂରଭଞ୍ଜରେ ୨୭ଟି ସ୍କ୍ବାଡ଼ ମାଧ୍ୟମରେ ୧୧୦୬୮ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧କୋଟି ୮୫ଲକ୍ଷ ୪୮ହଜାର ଟଙ୍କା ଆଦାୟ ହୋଇଛି। ୬୭୭ ଉପଭୋକ୍ତାଙ୍କର ୧କୋଟି ୮୮ଲକ୍ଷ ୪୬ ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। କେନ୍ଦୁଝରରେ ୨୩ଟି ସ୍କ୍ବାଡ଼ ମାଧ୍ୟମରେ ୨୪୨୧ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୮୨ଲକ୍ଷ ୩୮ହଜାର ଟଙ୍କା ଆଦାୟ ହୋଇଛି। ୭୮୬ ଉପଭୋକ୍ତାଙ୍କର ୧କୋଟି ୪୭ଲକ୍ଷ ୧୩ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିବା ବିଭାଗୀୟ ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।