ନେଇଗଲେ ଅଢ଼େଇ ଲକ୍ଷ ଟଙ୍କା, ସୁନା

ଛେଣ୍ଡିପଦା,୨ା୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ମୁଖାପିନ୍ଧି ଆସିଥିବା ୬ଜଣ ଦୁର୍ବୃତ୍ତ ଜଣେ ପୂଜକଙ୍କ ଘରେ ପଶି ଝିଅ ବାହାଘର ପାଇଁ ଗଡରେଜ୍‌ରେ ଥିବା ନଗଦ ଅଢେଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ୨ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ନେଇ ଫେରାର ହୋଇଯାଇଛନ୍ତି। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ପୂଜକଙ୍କ ପୁଅ ଆହତ ହୋଇଥିବା ବେଳେ ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ପୁରୁଣାଗଡ ବରାଳ ବାଲୁଙ୍କେଶ୍ବର ମନ୍ଦିରର ପୂଜକ ପ୍ରମୋଦ ମହାପାତ୍ରଙ୍କ ଘରେ ରାତି ପ୍ରାୟ ୧ଟାରେ ଦୁର୍ବୃତ୍ତମାନେ ପଶିଥିଲେ। ପ୍ରଥମେ ସେମାନେ ୩୩ କେଭି ତାରରେ ଲୁହା ଚେନ୍‌ ପକାଇ ଅଞ୍ଚଳରୁ ବିଦ୍ୟୁତ୍‌ କାଟିଦେଇଥିଲେ। ପରେ ପ୍ରମୋଦଙ୍କ ଘର ନିକଟରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ସହାୟତାରେ ଘର ଉପରକୁ ଉଠି ଆଜବେଷ୍ଟସ ଭାଙ୍ଗି ଭିତରେ ପଶିଥିଲେ। ମୁଖାପିନ୍ଧା ଦୁର୍ବୃତ୍ତମାନେ ପ୍ରମୋଦଙ୍କ ପୁଅ ପତିତପାବନଙ୍କୁ ମାଡ଼ ମାରିବା ସହ ଏକ ଖଣ୍ଡାରେ ବାମ ହାତ ପାପୁଲିକୁ ହାଣି ଦେଇଥିଲେ। ପତିତପାବନଙ୍କ ଚିତ୍କାର ଶୁଣି ପରିବାର ଲୋକେ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ବନ୍ଧୁକ, ଖଣ୍ଡା, ଭୁଜାଲି ଦେଖାଇ ଭୟଭୀତ କରାଇ ମୋବାଇଲ ଛଡାଇ ନେଇଥିଲେ। ପ୍ରମୋଦଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କଠାରୁ ଗଡରେଜ ଚାବି ନେଇଯାଇଥିଲେ। ସମସ୍ତଙ୍କୁ ଗୋଟିଏ ଘରେ ବନ୍ଦ କରିଦେବା ପରେ ଝିଅ ବାହାଘର ପାଇଁ ପ୍ରମୋଦ ଗଡରେଜରେ ରଖିଥିବା ପ୍ରାୟ ଅଢେଇ ଲକ୍ଷ ଟଙ୍କା, ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ନେଇ ଘରୁ ବାହାରିଯାଇଥିଲେ। ଏହି ସମୟରେ ନିକଟରେ ଦୋକାନ ଦେଇଥିବା ପ୍ରମୋଦଙ୍କ ବାପା ପଦ୍ମଚରଣ ମହାପାତ୍ର ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଫେରାର ହୋଇଯାଇଥିଲେ। ରାତି ପ୍ରାୟ ୩ଟାରେ ଆହତ ପତିତପାବନଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଡକାୟତି ସମ୍ପର୍କରେ ଥାନାକୁ ଜଣାଯାଇଥିଲା। ରବିବାର ସକାଳେ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ସନ୍ଧାନୀ କୁକୁର ନେଇ ପହଞ୍ଚି ତଦନ୍ତ କରିଥିଲେ। ଏ ନେଇ ଛେଣ୍ଡିପଦା ଥାନାରେ ନଂ. ୬୯/୨୦ରେ ଏକ ମାମଲା ରୁଜୁ ହୋଇଛି। ଥାନା ଅଧିକାରୀ କନକ ମାଝି କହିଛନ୍ତି, ଦୁର୍ବୃତ୍ତମାନଙ୍କ ଫିଙ୍ଗରପ୍ରିଣ୍ଟ ଓ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକଙ୍କ ହାତଥିବା ସନ୍ଦେହ କରାଯାଉଛି। ଖୁବ୍‌ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଯେପରି ଧରାଯିବ ସେଥିପାଇଁ ଏକ ଟିମ୍‌ ଗଠନ କରାଯାଇଛି।