ନୂତନବର୍ଷ ପ୍ରସ୍ତୁତି: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ

ପୁରୀ ଅଫିସ,୩୦।୧୨: ନୂତନବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏନେଇ ରବିବାର ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ପୁରୀ ଗସ୍ତରେ ଆସି ବିଭିନ୍ନ ପ୍ରସଙ୍ଗରେ ଉପରେ ସମୀକ୍ଷା କରିଛନ୍ତି। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଶ୍ରୀମନ୍ଦିର ଭିତର ଓ ବାହାରେ ଭିଡ଼ ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି। ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ବୋଲି ସୋମବାର ଜିଲା ପୋଲିସ କାର୍ଯ୍ୟାଳୟ(ଡିପିଓ)ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଡା.ଉମାଶଙ୍କର ଦାଶ କହିଛନ୍ତି। ନୂଆବର୍ଷରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ।