ନୂଆ ଥାଇ ବି ପୁରୁଣା ସାହା

ଛେଣ୍ଡିପଦା, ୨।୬(ସ୍ବ.ପ୍ର.) – ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୩ ବର୍ଷ ତଳୁ ନିର୍ମାଣ ସରିଛି ପୋଲ। ହେଲେ ଆପ୍ରୋଚ ରୋଡ୍‌ ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ତାହା ବ୍ୟବହାରରେ ଲାଗି ପାରୁନାହିଁ। ଫଳରେ ପୂର୍ବରୁ ଯେଉଁ ପୁରୁଣା ବିପଦସଙ୍କୁଳ ପୋଲରେ ଯାତାୟାତ ହେଉଥିଲା ତାହା ଏବେ ବି ସାହା ଭରସା ସାଜିଛି। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ ସିଙ୍ଗଡା ନଦୀ ପୋଲର ଏପରି ଅବସ୍ଥା ପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ। ଏଥିସହ ତୁରନ୍ତ ନୂତନ ପୋଲକୁ ବ୍ୟବହାର ଉପଯୋଗୀ କରିବାକୁ ସେମାନେ ଦାବି କରିଛନ୍ତି।
ଅଞ୍ଚଳବାସୀଙ୍କ କହିବା ମୁତାବକ, ଛେଣ୍ଡିପଦା ବ୍ଲକ କୋଶଳା ଚନ୍ଦନନଗରଠାରୁ ଦୁର୍ଗାପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ସିଙ୍ଗିଡା ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୭ରୁ ପୋଲ ନିର୍ମାଣ କରାଯାଇଥିଲା। ୨୦୧୮ରେ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଥିସହ କୋଶଳା ଚନ୍ଦନନଗରଠାରୁ ଦୁର୍ଗାପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ମଧ୍ୟ ସରିଛି। କିନ୍ତୁ ଏଯାବତ ପୋଲର ଆପ୍ରୋଚ ରୋଡ୍‌ କାମ ଶେଷ କରାଯାଇ ନାହିଁ। ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କ୍ଷତିପୂରଣ ପାଇ ନ ଥିବା ଜମି ମଲିକମାନେ ରାସ୍ତାକୁ କାଟି ଦେଇଛନ୍ତି। ସେହିପରି ଅନ୍ୟ ପାର୍ଶ୍ୱ ରାସ୍ତା କାମ ଆଦୌ ଆରମ୍ଭ ହୋଇନାହିଁ। ଫଳରେ ଉକ୍ତ ନୂଆ ପୋଲ ଉପରେ ଗାଡ଼ି ଯାତାୟାତ କରିପାରୁନାହିଁ। ତେଣୁ ବିପଦସଙ୍କୁଳ ହୋଇଥିଲେ ବି ପୁରୁଣା ପୋଲ ଉପରେ ଲୋକେ ଚଳପ୍ରଚଳ ହେବାକୁ ବାଧ୍ୟ ହେଉଛନ୍ତି। ଉକ୍ତ ପୁରୁଣା ପୋଲରୁ କଂକ୍ରିଟ ଖଣ୍ଡ ବର୍ଷାରେ ଧୋଇ ଗଲାଣି। ଆଗାମୀ ଦିନରେ ଅଧିକ ବର୍ଷା ହେଲେ ପୋଲଟି ସମ୍ପୂର୍ଣ୍ଣ ଭାସିଯିବା ଆଶଙ୍କା ରହିଛି। ଏପରି ହେଲେ ଜରପଡାଠାରୁ କୋଶଳା ଏନ୍‌ଟିପିସି ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ। ତେଣୁ ତୁରନ୍ତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ କୁମାର ପାଢି କୁହନ୍ତି, ନୂତନ ପୋଲର ଉଭୟ ପାଶର୍‌ବରେ ଥିବା ଜମିଗୁଡିକ ଅଧିଗ୍ରହଣ ପ୍ରକିୟା ଜାରି ରହିଛି। ଏ ପର୍ଯ୍ୟନ୍ତ ୨୭ ଜଣଙ୍କ ଜମି ଅଧିଗ୍ରହଣ କରାଯାଇଛି। ଆଉ ୧୨ ଜଣ ଜମି ମାଲିକ ରାଜି ହେଉ ନ ଥିବାରୁ ଆପ୍ରୋଚ ରୋଡ୍‌ ନିର୍ମାଣରେ ବିଳମ୍ବ ହେଉଛି।