ନୂଆପଡ଼ା ହଳଦିଗାଁରେ ବୁଲୁଛି ବାଘ

ତରବୋଡ/ନୂଆପଡା ଅଫିସ,୨୫।୧: ନୂଆପଡ଼ା ଜିଲା ଖରିଆର ରୋଡ ବନାଞ୍ଚଳ ଅଧୀନ ହଳଦିଗାଁରେ ସୋମବାର ୪ଟି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପ୍ରଚାର ପରେ ଭୟଭିତ ହୋଇପଡିଛନ୍ତି ଗ୍ରାମବାସୀ । ପାହାଡ଼ ତଳିଆ ଗାଁ ହୋଇଥିବାରୁ ଦିନରେ ବି ବାଘ ଗାଁ ଭିତରକୁ ଚାଳିଆସୁଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷେ ସୁନାବେଡା ଅଭୟାରଣ୍ୟ ଗୋଡା ପାହାଡକୁ ଲାଗି ହଳଦି ଜଙ୍ଗଲ ରହିଥିବାରୁ ଏହା ବାଘର ଆଡ୍ଡା ସ୍ଥଳ ପାଲଟିଛି।
ସୂଚନାଯୋଗ୍ୟ, ହଳଦିଭଗାଁରେ ୨୦୧୭ ମେ ୨୬ତାରିଖ ବିଳମ୍ବିତ ରାତିରେ ମା’ କେତକୀ ପାଣ୍ଡେଙ୍କ ପାଖରେ ଶୋଇଥିବା ୩ ବର୍ଷର ଶିଶୁପୁତ୍ରଙ୍କୁ ବାଘ ଟେକି ନେଇଥିଲା। ୨୦୧୭ ଜୁନ ୧୦ରେ ଆଈ ଧାନବାଇ ପାଣ୍ଡେ (୬୦), ନାତୁଣୀ ଚନ୍ଦ୍ରିକା ପାଣ୍ଡେ (୧୩)ଙ୍କୁ ବାଘ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବନ ବିଭାଗ ୨ଟି ବାଘକୁ ଧରି ନନ୍ଦନକାନନରେ ଛାଡିଥିଲା। ଗାଁ ଲୋକଙ୍କ ସୁରକ୍ଷା ପାଇଁ ଜଙ୍ଗଲ ଓ ଗାଁ ମଝିରେ ୧ କି.ମି. ତାରବାଡା ଦିଆଯାଇଛି। ପୁଣି ଗାଁରେ ବାଘ ପଶିବାରୁ ଭୟର ବାତାବରଣ ଖେଳି ଯାଇଛି। ତୁରନ୍ତ ବାଘକୁ ଧରି ଅନ୍ୟତ୍ର ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଖରିଆର ରୋଡ ବନାଞ୍ଚଳ ରେଞ୍ଜର ନିରଞ୍ଜନ ମାଝିଙ୍କୁ ପଚାରିବାରୁ ବନ ବିଭାଗ ପକ୍ଷରୁ ରାତିରେ ପାଟ୍ରୋଲିଂ କରାଯାଉଛି। ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି ବୋଲି ପ୍ରକାଶ କରିଥିଲେ।