ନୀଳାମ୍ବରପଲ୍ଲୀରେ ବିକାଶ ଅପହଞ୍ଚ

ପାତ୍ରପୁର ୧୮ା୧୧(ଡି.ଏନ୍‌.ଏ.)-ବ୍ରିଟିଶ ଅମଳର ଗାଁ, ହେଲେ ବିକାଶ ଅପହଞ୍ଚ। ଏଭଳି ଏକ ଗାଁ ରହିଛି ପାତ୍ରପୁର ବ୍ଲକ ଆମ୍ବପୁର ପଞ୍ଚାୟତରେ। ଜରଡ଼ା ରାଜାଙ୍କ ବଂଶଧରମାନେ ଦେଶ ସ୍ବାଧୀନ ହେବା ବହୁ ପୂର୍ବରୁ ଜରଡ଼ାଗଡ଼ ନିକଟରେ କେତେକ ପ୍ରଜାଙ୍କ ପାଇଁ ବସତି ସ୍ଥାପନ କରି ଗ୍ରାମର ନାମ ନୀଳାମ୍ବରପଲ୍ଲୀ ରଖିଥିଲେ। ବର୍ତ୍ତମାନ ଗାଁରେ ୨୫ରୁ ଉର୍ଦ୍ଧ୍ୱ ଆଦିବାସୀ ତଥା ଶବର ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଗାଁ ପରିମଳ ସହ ପରିବେଶ ପରିଛନ୍ନତା ଥିଲେ ମଧ୍ୟ ଗାଁର ବିକାଶ ହୋଇପାରିନାହିଁ। ପଡୋଶୀ ଗାଁର ବିକାଶ ଦେଖିଲେ ନୀଳାମ୍ବରପଲ୍ଲୀକୁ ପ୍ରଶାସନ ଭୂଲି ଯାଇଥିବା ମନେହୁଏ। ଏତେ ବର୍ଷର ପୁରୁଣା ଗାଁ ହେଲେବି ପକ୍କା ରାସ୍ତାଟିଏ ନାହିଁ। ଦାମୋଦରପଲ୍ଲୀ ଠାରୁ ଏହି ଗ୍ରାମକୁ ମାଟି ରାସ୍ତା ଥିଲେ ମଧ୍ୟ ତାହା ମରଣଯନ୍ତା ପାଲଟିଛି। ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଲାଗି ପ୍ରାଥମିକ ବିଦ୍ୟାଳୟ ରହିଛି। ମାତ୍ର ନାରାୟଣ ସାଗରର ଏକ ନାଳ ଯୋଗୁ ପିଲାମାନେ ବିପଦପୂର୍ଣ୍ଣ ଭାବେ ବିଦ୍ୟାଳୟ ଆସୁଛନ୍ତି। ଉକ୍ତ ନାଳ ଉପରେ ୨ଟି ସିମେଣ୍ଟ ହ୍ୟୁମ୍‌ପାଇପ ପକାଇ ତା’ଉପରେ ବିଦ୍ୟୁତ୍‌ ଖୁଣ୍ଟ ରଖି ଛାତ୍ରୀଛାତ୍ର ଓ ଗ୍ରାମବାସୀ ଯିବା ଆସିବା କରୁଛନ୍ତି। ବର୍ଷାଦିନେ ପ୍ରଖର ସ୍ରୋତରେ ତା ଉପରେ ବିପଦପୂର୍ଣ୍ଣଭାବେ ଯାଇଥାନ୍ତି। ଗ୍ରାମର ଶିଶୁମାନେ ନରସିଂହପୁରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର କେବେ ଦେଖି ନଥିବାବେଳେ ୫ବର୍ଷ ହେଲେ ସିଧାସଳଖ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଛାଡୁଥିବା ଗ୍ରାମର ମହିଳାମାନେ କହିଛନ୍ତି। ଅଙ୍ଗନଓ୍ବାଡି କର୍ମୀ ଦୁଇ ତିନି ମାସକୁ ଥରେ ଗ୍ରାମକୁ ଆସି ଅଣ୍ଡା ଓ ଛତୁଆ ଦେଉଥିବା ମହିଳାମାନେ କହିଥିଲେ। ରାସ୍ତା ନଥିବାରୁ ଶିଶୁମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇପାରୁ ନାହଁାନ୍ତି। ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୧୬ ଜଣ ପିଲାଙ୍କୁ ୨ଜଣ ଶିକ୍ଷକ ଗୋଟିଏ ଭଙ୍ଗା କୋଠରୀରେ ପଢାଉଛନ୍ତି। ଏହି ଗ୍ରାମକୁ ଛାଡ଼ି ସବୁ ଗ୍ରାମର ଲୋକଙ୍କୁ ସୋଲାର ଯୋଗେ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ପିଇବା ପାଣି ମିଳୁଛି। ହେଲେ ଏହି ଗ୍ରାମର ୨୫ ପରିବାର ଏଥିରୁ ବଞ୍ଚତ୍ତ। ଗ୍ରାମ ପାଖ ନଳକୂପରୁ ପାଣି ଆଣି ପିଉଛନ୍ତି। ୨୦ରୁ ଉର୍ଦ୍ଧ୍ୱ ପରିବାରକୁ ମୋକୁଡ଼ିଆ କିମ୍ବା ଆବାସ ଯୋଜନା ମିଳିନି। ତିତ୍‌ଲି ବାତ୍ୟାପରେ ମିଳିଥିବା ପାଲ ଟାଙ୍ଗି ଆଦିବାସୀମାନେ ରହୁଛନ୍ତି। ରାସ୍ତା ନଥିବାରୁ ଅବିବାହିତ ପୁଅଙ୍କୁ ପଡ଼ିଶା ଗଁାଲୋକେ ଝିଅ ଦେଉ ନାହଁାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ଠିଆହେଲେ ଜରଡ଼ାର ସ୍ବାସ୍ଥ୍ୟକେନ୍ଦ୍ର ଦେଖାଯାଉଥିଲେ ମଧ୍ୟ ଦୋଳାରେ ବୁହାହୋଇ ଯିବାକୁ ପଡେ। ପକ୍କା ରାସ୍ତା ତିଆରି ପାଇଁ ଅନ୍ୟ ଗ୍ରାମର ଜଣେ ଲୋକର ଜମି ବାଧକ ସାଜିଥିବା ଜଣାପଡ଼ିଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।