ନୀଳମାଧବ ପୀଠରେ ଦେବ ଦୀପାବଳି ଉତ୍ସବ

ଖଣ୍ଡପଡ଼ା,୨୮ା୧୧(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ପୀଠରେ ସୋମବାରଠାରୁ ଆରମ୍ଭ ହୋଇଥିବା ଦେବ ଦୀପାବଳି ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ସିଂହଦ୍ୱାର ନିକଟରେ ସମବେତ ହୋଇ ସେମାନଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିଲେ। ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିରରେ ମାର୍ଗଶିର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ୩ଦିନ ବ୍ୟାପୀ ପାରମ୍ପରିକ ରୀତିରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଧବାର ସନ୍ଧ୍ୟା ଆଳତି ଓ ଧୂପ ପରେ ନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ହାନ୍ଦୋଳାରେ ସିଂହଦ୍ୱାର ନିକଟ ଦୟଣା ଚୋରି ବଗିଚାକୁ ବିଜେ ହୋଇଥିଲେ। ପୂଜାର୍ଚ୍ଚନା ପରେ ଠାକୁରଙ୍କ ପକ୍ଷରୁ ପୂଜାରୀ ଓ ସେବାସୀମାନେ କୃଷ୍ଣଙ୍କ ମାତାପିତା ଦେବକୀ, ବାସୁଦେବ ଓ ଯଶୋଦା, ନନ୍ଦ ତଥା ଜଗତର ନାଥ ଜଗନ୍ନାଥ, ରାମ ଭାବରେ ଦଶରଥ ଓ ମା’ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ଜୀଉ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିପରି ପଥରଚକଡା ପଞ୍ଚାୟତର ମା’ ନାରାୟଣୀ ମନ୍ଦିର, କେନ୍ଦୁପଲ୍ଲୀ ପଞ୍ଚାୟତର ଗୋପୀନାଥ ଜୀଉ ମନ୍ଦିର ଓ ସିଧାମୂଳା ଗୋକୁଳାନନ୍ଦ ଜୀଉଙ୍କ ମନ୍ଦିରରେ ଏହି ଉତ୍ସବ ପାଳିତ ହୋଇଯାଇଛି। ଶତାଧିକ ଶ୍ରଦ୍ଧାଳୁ ଘିଅ ବଳିତା ଧରି ଠାକୁରଙ୍କ ପିତୃ ପୁରୁଷଙ୍କ ନିମନ୍ତେ ଆଲୋକ ପ୍ରଦାନ କରିଥିଲେ।