Categories: ବାଣିଜ୍ୟ

ନୀରବ ମୋଦିଙ୍କ ହାଜତ ମିଆଦ ବୃଦ୍ଧି

ଲଣ୍ଡନ,୨୦-୯: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ହାଜତ ମିଆଦକୁ ସ୍ଥାନୀୟ ଅଦାଲତ ଗୁରୁବାର ଅକ୍ଟୋବର ୧୭ ଯାଏ ବୃଦ୍ଧି କରିଛନ୍ତି। ଗୁରୁବାର ତାଙ୍କର ହାଜତ ମିଆଦ ପୂରି ଯାଉଥିଲା। ବ୍ରିଟେନର ଓ୍ବିଣ୍ଡ୍‌ସଓ୍ବର୍ଥ ଜେଲ୍‌ରେ ବନ୍ଦ ଥିବା ନୀରବଙ୍କୁ ପ୍ରତ୍ୟର୍ପଣ ପାଇଁ ଆସନ୍ତାବର୍ଷ ମେ’ରେ ଶୁଣାଣି ହେବ। ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନୀରବଙ୍କୁ ଗୁରୁବାର ଭିଡ଼ିଓ ଲିଙ୍କ୍‌ ଜରିଆରେ ବ୍ରିଟେନ ଅଦାଲତରେ ହାଜର କରାଯାଇଥିଲା। ଓ୍ବେଷ୍ଟମିନ୍‌ଷ୍ଟର ମାଜିଷ୍ଟ୍ରେଟ୍‌ ଜଷ୍ଟିସ୍‌ ଟ୍ୟାନ୍‌ ଇକରମ୍‌ ମାମଲାର ଶୁଣାଣି କରିଥିଲେ। ଆସନ୍ତା ଶୁଣାଣି ବେଳେ ପ୍ରତ୍ୟର୍ପଣ ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ କରାଯିବ ବୋଲି ବିଚାରପତି କହିଛନ୍ତି। ଆସନ୍ତାବର୍ଷ ମେ ୧୧ରୁ ପ୍ରତ୍ୟର୍ପଣ ମାମଲାର ଶୁଣାଣି ପାଇଁ ପ୍ରାରମ୍ଭିକ ଭାବେ ତାରିଖ ସ୍ଥିର କରାଯାଇଛି। ତେବେ ଭାରତ ସରକାର ଓ ନୀରବ ମୋଦି ଏହାକୁ ଅଦ୍ୟାବଧି ସ୍ବୀକାର କରିନାହାନ୍ତି। ଆସନ୍ତା ୫ ଦିନ ମଧ୍ୟରେ ଏ ସମ୍ପର୍କରେ ଜଣାଇବାକୁ ବିଚାରପତି ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share