ନିୟମିତ ତଦାରଖ ହେବ ସରକାରୀ ଯୋଜନା

ଢେଙ୍କାନାଳ ଅଫିସ, ୩୦।୧: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ‘୫-ଟି’, ମୋ ସରକାର କାର୍ଯ୍ୟକ୍ରମ ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ନିରଞ୍ଜନ ସାହୁ। ଏହି ଅବସରରେ ସେ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଲେ, ସରକାରୀ ଯୋଜନାଗୁଡ଼ିକର ନିୟମିତ ତଦାରଖ କରାଯିବ। ଜନସାଧାରଣ ସଚେତନ ହେଲେ କାର୍ଯ୍ୟକ୍ରମ ଅଧିକ ଫଳପ୍ରସୂ ହୋଇପାରିବ। ଏଥିଲାଗି ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯତ୍ନବାନ ହେବାକୁ ଆର୍‌ଡିସି ପରାମର୍ଶ ଦେଇଛନ୍ତି।
ରାଜ୍ୟର ୬ ସହରକୁ ଆଦର୍ଶ ସହରରେ ପରିଣତ କରାଯିବାକୁ ପ୍ରସ୍ତାବ ରହିଛି। ଏଥିରେ ଢେଙ୍କାନାଳର ନାମ ମଧ୍ୟ ରହିଛି। ଚଳିତ ଧାନସଂଗ୍ରହ ଋତୁରେ ଜିଲାର ଚାଷୀଙ୍କଠାରୁ ୫୩% ଧାନ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଥିଲା। ଏଥିସହ ଚାଷୀଙ୍କ ହିତ ଦୃଷ୍ଟିରୁ ଜଳସେଚନ ପାଇଁ ପ୍ରସ୍ତାବ ଦେବା, ଖରାଦିନ ପୂର୍ବରୁ ଅଚଳ ନଳକୂପଗୁଡିକର ମରାମତି, ହାତୀ ଉପଦ୍ରୁତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ, ହାତୀ ଉପଦ୍ରବ ରୋକିବା, ଲୋକନୃତ୍ୟ ମାଧ୍ୟମରେ ଜନସଚେତନତା ସୃଷ୍ଟି, ସ୍ବାସ୍ଥ୍ୟ ବିଭାଗରେ ଲାଗି ରହିଥିବା ସମସ୍ୟାର ସମାଧାନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାରିବା, ରାଜସ୍ବ ସଂଗ୍ରହରେ ଯତ୍ନବାନ ହେବା, ଦୀର୍ଘଦିନ ଧରି ପଡ଼ି ରହିଥିବା ରାଜସ୍ବ ମାମଲାଗୁଡ଼ିକର ଫଇସଲା କରିବାକୁ ଆର୍‌ଡିସି ଗୁରୁତ୍ୱାରୋପ କରିଥିଲେ।
ଜିଲାରେ ପ୍ରଥମକରି ୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏ ନେଇ ୨ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
ଚଳିତ ଆର୍ଥତ୍କ ବର୍ଷରେ ଗ୍ରାମୀଣ ଆବାସ ଯୋଜନାରେ ୧୭,୭୫୭ ଗୃହ ନିର୍ମାଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରୁ ଏବେ ସୁଦ୍ଧା ୯୭୪୭ଟିର କାମ ସମ୍ପୂର୍ଣ୍ଣ ହୋଇଥିବା ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା କହିଥିଲେ। ୫-ଟି, ମୋ ସରକାର ଅନ୍ତର୍ଗତ କାର୍ଯ୍ୟଗୁଡ଼ିକୁ ସଫଳତାର ସହ ସମାପନ କରିବା ଦିଗରେ ଯତ୍ନବାନ ହେବାକୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, କାମାକ୍ଷାନଗର ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ହିନ୍ଦୋଳ ଉପଜିଲାପାଳ ଉଦୟନାଥ ମହାପାତ୍ରଙ୍କ ସମେତ ଜିଲାର ପଦସ୍ଥ ଅଧିକାରୀ, ବିଡିଓ, ତହସିଲଦାରମାନେ ଉପସ୍ଥିତ ଥିଲେ। ଅପରାହ୍ନରେ କମିଶନର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଭିତ୍ତିଭୂମି ପରଖିଥିଲେ।