ନିଶା ନିବାରଣ ଓ ସରକାର

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ସମ୍ପ୍ରତି ଓଡ଼ିଶା ସରକାର ରାଜ୍ୟକୁ ମଦମୁକ୍ତ କରିବା ପାଇଁ ପ୍ରୟାସ କରିବେ ବୋଲି ଘୋଷଣା କରିଛନ୍ତି। କେହି କେହି ଏହା ରାଜ୍ୟର ଅର୍ଥନୀତିକୁ ଦୁର୍ବଳ କରିବ ବୋଲି ଆଶଙ୍କା ପ୍ରକାଶ କରୁଥିବା ବେଳେ ଆଉ କେହି କେହି କହୁଛନ୍ତି ମଦ୍ୟପାନ କରିବା ଅଭ୍ୟାସକୁ ମୂଳୋପତ୍ାଟନ କରିବା ସମ୍ଭବ ନୁହେଁ। ଏହି ପ୍ରସଙ୍ଗରେ ତତ୍କାଳୀନ ବାମଣ୍ଡା ରାଜା ସୁଢଳ ଦେବ ଓ ଗାନ୍ଧିଜୀଙ୍କ ଦୃଷ୍ଟିଭଙ୍ଗୀ ପ୍ରଣିଧାନଯୋଗ୍ୟ ମନେହୁଏ। ଭାରତ ସ୍ବାଧୀନ ହେବା ପୂର୍ବରୁ ଭାରତକୁ ଏକ ନିଶାମୁକ୍ତ ଦେଶ ଭାବରେ ଗଢ଼ି ତୋଳିବା ପାଇଁ ସ୍ବପ୍ନ ଦେଖିଥିଲେ ମହାମତ୍ା ଗାନ୍ଧୀ। ସେ ଉପଲବ୍ଧି କରିଥିଲେ ମଦ ମଣିଷକୁ ବିଭ୍ରାନ୍ତ କରେ, ରୁଗ୍ଣ କରେ, ବିଚାରଶକ୍ତିକୁ ଭ୍ରଷ୍ଟ କରେ, କଳହ ସୃଷ୍ଟି କରେ ଓ ପାରିବାରିକ ଜୀବନକୁ ନଷ୍ଟ କରେ। ଏଣୁ ସେ ନବଜୀବନ, ୟଙ୍ଗ୍‌ ଇଣ୍ଡିଆ ଓ ହରିଜନ ଆଦି ପତ୍ରିକାରେ ନିଶାସେବନର ଭୟାବହ ପରିଣତି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଧାରାବାହିକ ଭାବରେ ପ୍ରବନ୍ଧ ଲେଖୁଥିଲେ। ମାତ୍ର ଗାନ୍ଧୀଙ୍କ ବହୁପୂର୍ବରୁ ଓଡ଼ିଶାର ବାମଣ୍ଡା ରାଜ୍ୟର ରାଜା ସାର୍‌ ବାସୁଦେବ ସୁଢଳଦେବ (୧୮୬୯-୧୯୦୩) ମାଦକଦ୍ରବ୍ୟର ଭୟଙ୍କର ପରିଣତିକୁ ଦୃଷ୍ଟିରେ ରଖି ନିଜ ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ସଂକଳ୍ପ କରି କଠୋର ପଦକ୍ଷେପ ନେଇଥିଲେ। ତାଙ୍କର ଜୀବନୀ ଲେଖକ ଚଣ୍ଡୀଚରଣ ବନ୍ଦୋପାଧ୍ୟାୟଙ୍କ ଭାଷାରେ ”ଭାରତରେ ମାଦକ ଦ୍ରବ୍ୟ ସେବନ ନିବାରଣ ବିଷୟରେ ବାମଣ୍ଡାର ରାଜା ସାର୍‌ ବାସୁଦେବ ସୁଢଳଦେବଙ୍କ ଭଳି ଆଦର୍ଶ ନରପତି ଆଉ ଦ୍ୱିତୀୟ ଅଛନ୍ତି କି ନାହିଁ ଜାଣିନାହିଁ, ବୋଧହୁଏ ନାହାନ୍ତି। ପ୍ରଜାମାନଙ୍କର ମାଦକ ସେବନ ବିଷୟରେ ଏଭଳି କଠୋର ତପସ୍ୟାପରାଣୟ ନରପତି କାହିଁକି, ଧର୍ମଗୁରୁ ମଧ୍ୟ ଦୁର୍ଲଭ ବୋଲି ମନେ ହୁଏ।“
ସୁଢଳଦେବ ମାଦକ ପର୍ଯ୍ୟାୟଭୁକ୍ତ ସମସ୍ତ ଦ୍ରବ୍ୟର ବ୍ୟବହାର ଆଇନ ଦ୍ୱାରା ନିଷିଦ୍ଧ ଘୋଷଣା କରିଥିଲେ ଓ କେହି ଆଇନ ଭଙ୍ଗ କଲେ ଗୁରୁତର ଦଣ୍ଡର ବ୍ୟବସ୍ଥା କରିଥିଲେ। ଥରେ ଜଣେ ସମ୍ଭ୍ରାନ୍ତ ପଦସ୍ଥ ଆମତ୍ୀୟ ସୁରାସେବନ କରିଥିବାରୁ ରାଜା ନିଜେ ତାକୁ ପ୍ରହାର କରି ଦଣ୍ଡ ଦେଇଥିଲେ। ଏକଦା ରାଜା ଜଣେ ବିଦେଶୀ କର୍ମଚାରୀ ଅଫିମ ସେବନ କରୁଥିବା ସନ୍ଦେହ କରିଥିଲେ। ଅନୁସନ୍ଧାନରୁ ସେ ଜାଣିଲେ ଯେ, ପୋଷ୍ଟ ଅଫିସର ପାର୍ସଲ ମାଧ୍ୟମରେ ସେ କଲିକତାରୁ ଅଫିମ ଆଣୁଥିଲେ। ରାଜା ତାକୁ ପ୍ରାପ୍ୟବେତନ ଦେଇ ତତ୍‌କ୍ଷଣାତ୍‌ ରାଜ୍ୟରୁ ବହିଷ୍କାର କରିଥିଲେ। ରାଜଧାନୀ ଦେବଗଡ଼କୁ କେନ୍ଦ୍ରକରି ଚାରି ପାଖରେ ୧୦ ମାଇଲ ମଧ୍ୟରେ ସୁରାସେବନ ନିଷିଦ୍ଧ କରାଯାଇଥିଲା। ଯେଉଁମାନେ ରାଜାଦେଶ ଅମାନ୍ୟ କରୁଥିଲେ, ସେମାନଙ୍କ ପାଇଁ ବେତ୍ରାଘାତ ଦଣ୍ଡର ବ୍ୟବସ୍ଥା ଥିଲା। ଅଫିମ, ଗଞ୍ଜେଇ ଓ ସୁରା ଅନେକ ସମୟରେ ଔଷଧ ତିଆରିରେ ବ୍ୟବହୃତ ହେଉଥିଲା। ପୁନଶ୍ଚ କିଛି ଲୋକ ଅଭ୍ୟାସଗତ ନିଶାସକ୍ତ ଥିଲେ, ଯେଉଁମାନେ କୌଣସି ଆଇନକୁ ମାନୁ ନ ଥିଲେ ଓ ଦଣ୍ଡିତ ହେଉଥିଲେ। ଏଣୁ ରାଜା ନିଶାଦ୍ରବ୍ୟର ଅତି ସୀମିତ ବ୍ୟବହାର ପାଇଁ ବ୍ୟବସ୍ଥା ରଖିଥିଲେ। ନିମ୍ନଶ୍ରେଣୀର ଅଭ୍ୟାସଗତ ସୁରାପାନକାରୀଙ୍କୁ ବର୍ଷକୁ ଥରେ ବା ଦୁଇଥର ପାର୍ବଣ ଉପଲକ୍ଷେ ସ୍ବଗୃହ ପ୍ରସ୍ତୁତ ସୁରା ସେବନର ଅନୁମତି ଦେଇଥିଲେ। ମାତ୍ର ନିର୍ଦ୍ଦିଷ୍ଟ ଦିନପରେ ସେମାନଙ୍କ ଘରେ ସୁରା ମହଜୁଦ ଥିଲେ ସେମାନଙ୍କୁ ରାଜଦଣ୍ଡରେ ଦଣ୍ଡିତ କରାଯାଉଥିଲା। ରାଜା ଥାନାରେ ଅଫିମ ବିକ୍ରିର ବ୍ୟବସ୍ଥା କରିଥିଲେ। ସେଠାରେ ଅଫିମ ଆସକ୍ତ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେମାନେ ଅତି ସୀମିତ ପରିମାଣର ଅଫିମ ଥାନାରୁ କ୍ରୟ କରୁଥିଲେ। ରାଜା ଭାବୁଥିଲେ, ତାଲିକାଭୁକ୍ତ ଅଫିମ ଆସକ୍ତ ଲୋକେ ମରିଗଲାପରେ ରାଜ୍ୟ ଅଫିମ ସେବନ ଅପବାଦରୁ ମୁକ୍ତ ହେବ। ଏହାବ୍ୟତୀତ ଅଫିମ ସେବନ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟରେ କୌଣସି ନିଯୁକ୍ତି ଦିଆଯାଉ ନଥିଲା। ଏହା ସ୍ପଷ୍ଟ ଭାବରେ ଲିଖିତ ଅଛି ପ୍ରଶାସନିକ ବିବରଣୀ ୧୮୯୩ରେ। ପୁନଶ୍ଚ ଜଣେ ଖ୍ୟାତନାମା ଇଂରେଜ ଧର୍ମଯାଜକ ପି. ଇ. ହେବେରଲେଟ୍‌ ୧୮୯୭ରେ ଲେଖିଲେ, ”ଏହା ସୁଖର କଥା ହୁଅନ୍ତା, ଯଦି ଭାରତର ଅନ୍ୟ ରାଜାମାନେ ଓ ବ୍ରିଟିଶ୍‌ ସରକାର ଏହି ରାଜାଙ୍କୁ ଅନୁକରଣ କରନ୍ତେ ଓ ନାଗରିକମାନଙ୍କ ପାଇଁ କ୍ଷତିକାରକ ଓ ରାଜ୍ୟର ସମୃଦ୍ଧିବାଧକ ନିଶାଦ୍ରବ୍ୟର ବିକ୍ରୟରୁ ରାଜସ୍ବ ସଂଗ୍ରହ କରନ୍ତେ ନାହିଁ।“ ରାଜା ସୁଢଳଦେବ ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରିବା ଦ୍ୱାରା ବହୁ ପରିମାଣର ରାଜସ୍ବ ହରାଉଥିଲେ। ମାତ୍ର ତଦ୍ଦ୍ବାରା ସେ କେବେ ଦୁଃଖିତ ନ ଥିଲେ। ସେ ଖୁସିଥିଲେ ଯେ, ପ୍ରଜାମାନେ ନିଶାଦ୍ରବ୍ୟ କିଣିବା ଅପବ୍ୟୟରୁ ମୁକ୍ତ ହୋଇ ଅନ୍ତତଃ ଦିନକୁ ଦୁଇଓଳା ଦୁଇମୁଠା ଅନ୍ନ ପାଇ ପାରୁଥିଲେ।
ରାଜା ସୁଢଳଦେବଙ୍କ ସହ ମହାମତ୍ା ଗାନ୍ଧୀଙ୍କ କେବେ ସାକ୍ଷାତ୍‌ ହୋଇ ନ ଥିଲା। ମହାମତ୍ା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଫେରିବା ବେଳକୁ (୧୯୧୫) ସୁଢଳଦେବଙ୍କ ମୃତ୍ୟୁ ହୋଇସାରିଥିଲା (୧୯୦୩)। ମାତ୍ର ରାଜାଙ୍କ ମାଦକଦ୍ରବ୍ୟ ସେବନ ପ୍ରତି ଥିବା କଠୋର ଦୃଷ୍ଟିଭଙ୍ଗୀ ପରବର୍ତ୍ତୀ ସମୟରେ ମହାମତ୍ା ଗାନ୍ଧୀଙ୍କଠାରେ ପରିଲକ୍ଷିତ ହୋଇଥିଲା। ତାଙ୍କ ଜନ୍ମର ଶହେ ପଚାଶ ବର୍ଷ ପରେ ମଧ୍ୟ ତାଙ୍କ ସ୍ବପ୍ନର ନିଶାମୁକ୍ତ ଭାରତ ସମ୍ଭବ ହୋଇ ପାରିନାହିଁ, ବରଂ ନିର୍ବାଚନରେ ବିଜୟ ଲାଭ କରିବା ପାଇଁ ମଦ ବଣ୍ଟନ ଏକ ମାଧ୍ୟମ ଭାବରେ ବ୍ୟବହୃତ ହେଉଛି। ପୁଣି ସରକାର ଯୁକ୍ତି କରୁଛନ୍ତି, ମଦରୁ ରାଜସ୍ବ ଆସୁଛି ଓ ତଦ୍ଦ୍ବାରା ଜନହିତକର କାର୍ଯ୍ୟ କରାହେଉଛି, ଲାଇସେନ୍ସପ୍ରାପ୍ତ ଦୋକାନରେ ମଦ ବିକ୍ରି ନ ହେଲେ ଚୋରାମଦ କାରବାର ବଢ଼ିବ ଓ ସ୍ବଇଚ୍ଛାରେ ମଦ୍ୟପାନ କରୁଥିବା ଲୋକଙ୍କୁ ଏହି ଅଭ୍ୟାସ ତ୍ୟାଗ କରିବା ପାଇଁ ବାଧ୍ୟ କରିହେବ ନାହିଁ। ମାତ୍ର ଏହି ପ୍ରସଙ୍ଗରେ ଗାନ୍ଧିଜୀ ୧୯୨୫ ମାର୍ଚ୍ଚ ୧ ତାରିଖ ‘ନବଜୀବନ’ରେ ଲେଖିଥିଲେ ଯେ, ମଦ୍ୟପାନ ଏକ ଅପରାଧ ଭାବରେ ବିବେଚିତ ହେବା ଉଚିତ। କାରଣ ଯାହା ଜୀବନ ପାଇଁ କ୍ଷତିକାରକ, ତା’ର ପ୍ରସ୍ତୁତି ବା ବିକ୍ରି ପାଇଁ କୌଣସି ବ୍ୟକ୍ତିର ଅଧିକାର ନାହିଁ। କୌଣସି ବ୍ୟକ୍ତିକୁ ସ୍ବାଧୀନତା ନାମରେ ଯେପରି ଚୋରି କରିବା ପାଇଁ ଛାଡ଼ି ଦିଆଯାଏ ନାହିଁ, ସେପରି ମଦ ପ୍ରସ୍ତୁତି ଓ ବିକ୍ରି ପାଇଁ ମଧ୍ୟ ସ୍ବାଧୀନତା ଦିଆଯାଇ ନ ପାରେ। ଯେଉଁମାନେ ମଦ ପିଇବେ, ସେମାନେ ଆଇନ ଉଲ୍ଲଂଘନ କରୁଛନ୍ତି ଓ ଆଇନ ଅନୁସାରେ ସେମାନେ ଦଣ୍ଡିତ ହେବା ଉଚିତ। ଗାନ୍ଧିଜୀ କହିଥିଲେ, ”ସ୍ବାଧୀନତାର ଅର୍ଥ ନୁହେଁ ଅନ୍ୟର ଅନିଷ୍ଟ କରିବା।“ ଗୋଟିଏ ଉଦାହରଣ ଦେଇ ସେ କହିଥିଲେ, ନିଜ ଜମିକୁ ଖୋଳିଦେବାର ଅଧିକାର ମାଲିକର ଥାଇପାରେ। ମାତ୍ର ସେ ଏଭଳି ଖୋଳିପାରିବ ନାହିଁ, ଯଦ୍ଦ୍ବାରା ପଡ଼ୋଶୀ ଘରର ମୂଳଦୁଆ ଭୁଶୁଡ଼ିପଡ଼ିବ। ଯେଉଁମାନେ ମଦ ପିଅନ୍ତି, ତା’ର କୁଫଳ ତା’ର ପରିବାର ଓ ପଡ଼ୋଶୀ ମଧ୍ୟ ଭୋଗ କରନ୍ତି।
କିଛି ଲୋକ ଯୁକ୍ତି କରନ୍ତି, ମଦ ବିକ୍ରିରୁ ଯେଉଁ ରାଜସ୍ବ ଆସୁଛି ସେଥିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ଅନେକ ସ୍କୁଲ, କଲେଜ ଚାଲୁଛି। ଶିକ୍ଷାର ପ୍ରସାର ଘଟୁଛି। ମାତ୍ର ଗାନ୍ଧିଜୀ ୧୯୨୭ ମସିହାରେ ‘ୟଙ୍ଗ୍‌ ଇଣ୍ଡିଆ’ରେ କହିଥିଲେ, ”ଭାରତରେ ଅବକାରୀ ରାଜସ୍ବ ବୃଦ୍ଧି ପାଇଁ ଲକ୍ଷ ଲକ୍ଷ ଲୋକ ମଦ୍ୟପ ହେବା ଅପେକ୍ଷା ଆମ ଦେଶ ନିଜ ପିଲାଙ୍କ ଶିକ୍ଷା ବାବଦ ବ୍ୟୟ ତୁଲାଇ କାଙ୍ଗାଳ ହୋଇଯିବା ବରଂ ଶ୍ରେୟସ୍କର। ପିଲାଙ୍କ ପାଠପଢ଼ା ଖର୍ଚ୍ଚ ସରକାର ଭରଣା କରିବା ପାଇଁ ଦେଶର ପିଲାଏ ମୂର୍ଖ ରହିବାକୁ ମୁଁ ଅଧିକ ପସନ୍ଦ କରିବି। ଅବକାରୀ ଭଳି ଘୃଣିତ ଓ ପାପପୂର୍ଣ୍ଣ ରାଜସ୍ବ ଆୟଠାରୁ ବଳି ଅଧିକ ଅନୈତିକ ବ୍ୟାପାର ଆଉ କିଛି ନାହିଁ।“ ଗାନ୍ଧୀଙ୍କ ମତରେ ଆର୍ଥିକ କ୍ଷତିଠାରୁ ନୈତିକ ଅଧଃପତନ ବେଶି ଗୁରୁତର। ମଦ୍ୟପ ସ୍ତ୍ରୀ, ମାଆ ଓ ଭଉଣୀ ମଧ୍ୟରେ ପାର୍ଥକ୍ୟ ଭୁଲିଯାଏ ଓ ପାପାଚରଣ କରେ। ସେ ବିବେକଭ୍ରଷ୍ଟ ହୁଏ। ଖାଇବା, ପିଇବା ଓ ଆନନ୍ଦ କରିବା ପାଇଁ ବଞ୍ଚତ୍ ରହିବା ଜୀବନର ଲକ୍ଷ୍ୟ ନୁହେଁ। ଏହି ଦେହ ହେଉଛି ଈଶ୍ୱରଙ୍କ ମନ୍ଦିର ଓ ମନୁଷ୍ୟ ଜାତିର ମଙ୍ଗଳ ପାଇଁ ତା’ର ବିନିଯୋଗ କରିବା ଲାଗି ଯେଉଁ ଖାଦ୍ୟ ଓ ପାନୀୟ ଆବଶ୍ୟକ, ତାହା ଗ୍ରହଣ କରିବା ଉଚିତ ବୋଲି ସେ କହୁଥିଲେ।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri