Categories: ଜାତୀୟ

ନିଲମ ଉପତ୍ୟକାରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀ ଶିବିର ଧ୍ୱଂସ

ନୂଆଦିଲ୍ଲୀ,୨୨ା୧୨: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ନିଲମ ଉପତ୍ୟକାରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ସେନା କାର୍ଯ୍ୟାନୁଷ୍ଠାନରେ ଉକ୍ତ ଅଞ୍ଚଳରେ ଥିବା କେତେକ ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଛି। ପାକିସ୍ତାନୀ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବ ଦେବାକୁ ଯାଇ ଭାରତୀୟ ଯବାନମାନେ ନିଲମ ନଦୀକୂଳରେ ଥିବା ଏକାଧିକ ପୋଷ୍ଟ ଓ ଆତଙ୍କବାଦୀ ଲଞ୍ଚ୍‌ପ୍ୟାଡକୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ କରିଦେଇଛନ୍ତି। ସେନା କାର୍ଯ୍ୟାନୁଷ୍ଠାନରେ ଉକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଜଳିଯାଇଛି। ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରିବାରେ ପାକ୍‌ ସେନା ଏହି ଲଞ୍ଚ୍‌ପ୍ୟାଡଗୁଡ଼ିକୁ ବ୍ୟବହାର କରୁଥିଲା।
ଅନ୍ୟପକ୍ଷରେ ନିଲମ ଭ୍ୟାଲିରେ ଥିବା ଲେସଭା ଗ୍ରାମ ଉପରେ ଭାରତୀୟ ସେନା ସେଲ୍‌ ମାଡ଼ କରିବାରୁ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ପାକ୍‌ ସେନା ପକ୍ଷରୁ କୁହାଯାଇଛି। ସୀମାରେ ଉତ୍ତେଜନା ବଢ଼ୁଥିବା ନେଇ ଦୁଇ ଦେଶ ପରସ୍ପରକୁ ଚେତାବନୀ ଦେବାର ଦିନକ ପରେ ଏଭଳି ଘଟଣା ଘଟିଛି। ଗୁରୁବାର ରାତିରେ ନିୟନ୍ତ୍ରଣ ରେଖା ସଂଲଗ୍ନ ଏହି ଅଞ୍ଚଳରେ ଉଭୟ ପକ୍ଷ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଭାରତୀୟ ଯବାନମାନେ ପାକିସ୍ତାନ ପାର୍ଶ୍ୱରେ ଥିବା ଗ୍ରାମକୁ ଟାର୍ଗେଟ କରି ଗୁଳି ଚଳାଇବାରୁ ଜଣେ ୧୪ ବର୍ଷର ବାଳକ ଏବଂ ଅନ୍ୟ ଜଣେ ଯୁବକ ନିହତ ହୋଇଥିବାବେଳେ ପ୍ରତିପକ୍ଷର ୩ ସୈନ୍ୟ ଓ ଦୁଇଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।
ଶୁକ୍ରବାର ରାତିରେ ମଧ୍ୟ ନିଲମ ଭ୍ୟାଲିରୁ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚଳାଇଥିଲା। ଭାରତୀୟ ଯବାନମାନେ ଏହାର ଠିକଣା ଜବାବ ଦେଇଥିଲେ। ଏହାବ୍ୟତୀତ ଏଲ୍‌ଓସି ଅନ୍ତର୍ଗତ ଟଙ୍ଗଧର ଏବଂ କଞ୍ଜଲଓ୍ବାନ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡିଛି।

Share