ନିର୍ମାଣ କାର୍ଯ୍ୟରେ ଅନିୟମିତତା : ଜିଲାପାଳଙ୍କଠାରେ ଗ୍ରାମବାସୀ ଫେରାଦ

ବାରିପଦା ଅଫିସ,୧୩ା୬ : ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟୀ ପଞ୍ଚାୟତ ବରଜିଆଣି ଗ୍ରାମରେ ଏକ କାର୍ଯ୍ୟରେ ଅନିୟମିତା ହୋଇଥିବା ନେଇ ଗୁରୁବାର ଗ୍ରାମବାସୀ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି। ଏନେଇ ପୂର୍ବରୁ ସେମାନେ ସ୍ଥାନୀୟ ବିଡିଓଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ। ବିଡିଓ ଜେଇଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଗ୍ରାମବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,ବଣକାଟୀ ପଞ୍ଚାୟତ ଅଧୀନ ବରଜିଆଣି ପିଣ୍ଡାର ସାହି ୫ ନମ୍ବର ୱାର୍ଡକୁ ଏକ ସରକାରୀ କାର୍ଯ୍ୟ ଅନୁମୋଦନ କରାଯାଇଥିଲା। ଏହି କାର୍ଯ୍ୟକୁ ଚଞ୍ଚକତା ପୂର୍ବକ ଅନ୍ୟ ସ୍ଥାନରେ କରାଯାଇଛି। ପୁରୁଣା କାର୍ଯ୍ୟ ଉପରେ ମିଥ୍ୟା ବିଲ୍‌ ଉଠାଣ ହୋଇଛି। ଏ ନେଇ ଯଥାଶୀଘ୍ର ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତିି। ଆସନ୍ତା ଦୁଇଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ବସନ୍ତ ହାଁସଦା, ଲାଖରାମ କିସ୍କୁ,ଗୋବିନ୍ଦ ମୁର୍ମୁ,ଭୀମ ହେମ୍ବ୍ରମ,ଅଶୋକ ସୋରେନ,ରାମଚନ୍ଦ୍ର କିସ୍କୁ,ସାଲଖାନ ହାଁସଦା, ରାମ ସୋରେନ ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।