Categories: ଜାତୀୟ

ନିର୍ଭୟା ମାମଲା: ୨୨ ଜାନୁୟାରୀରେ ଦୋଷୀଙ୍କୁ ଦିଆଯିବ ଫାଶୀ

ନୂଆଦିଲ୍ଲୀ,୭।୧: ନିର୍ଭୟା ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ୍‌ ଉପରେ ପଟିଆଲା ହାଉସ୍‌ କୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି। କୋର୍ଟ ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂଙ୍କୁ ୨୨ ଜାନୁୟାରୀ ସକାଳ ୭ଟାରେ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୪ ଦିନ ମଧ୍ୟରେ ଏହି ଦୋଷୀମାନେ ଆଇନ ଅନୁଯାୟୀ କ୍ଷମା ଆବେଦନ କରିପାରିବେ। ଇତିମଧ୍ୟରେ ଦୋଷୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଏ.ପି. ସିଂ ଏହାକୁ ନେଇ କ୍ୟୁରେଟିଭ ପିଟିଶନ ସୁପ୍ରିମକୋର୍ଟରେ ଦାଖଲ କରିବେ ବୋଲି କହିଛନ୍ତି। ଡେଥ୍‌ ଓ୍ବାରେଣ୍ଟ୍‌ ଜାରି ହେବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି, ‘ମୋ ଝିଅକୁ ଉଚିତ୍‌ ନ୍ୟାୟ ମିଳିଛି। ଲୋକଙ୍କର ନ୍ୟାୟପାଳିକା ଉପରେ ବିଶ୍ୱାସ ଅତୁଟ ରହିବ’। ନିର୍ଭୟାଙ୍କ ବାପା ବଦ୍ରିନାଥ ସିଂ କହିଛନ୍ତି, ‘କୋର୍ଟଙ୍କ ନିର୍ଦ୍ଦେଶ ସ୍ବାଗତଯୋଗ୍ୟ। ଏପରିି ଦୋଷ କରୁଥିବା ବ୍ୟକ୍ତିଙ୍କ ମନରେ ଏହା ଭୟ ସୃଷ୍ଟି କରିବ’। ସୁପ୍ରିମକୋର୍ଟଙ୍କର ଏହି ନିର୍ଦ୍ଦେଶକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ଦେଶର ସବୁ ଝିଅଙ୍କୁ ନ୍ୟାୟ ମିଳିଲା ବୋଲି ଅନେକ ମତ ଦେଇଛନ୍ତି।

ସୂଚନାଯୋଗ୍ୟ, ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ୍‌ରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଜେଲ୍‌ରେ ୪ ଫାଶୀ ମଞ୍ଚ ସହିତ ୪ ସୁଡ଼ଙ୍ଗ ନିର୍ମାଣ ଶେଷ ହୋଇଛି। ପୂର୍ବରୁ ଏଠାରେ ଗୋଟିଏ ଫାଶୀ ମଞ୍ଚ ଥିଲା। ଜେଲ୍‌ରେ ଜେସିବି ମେସିନ୍‌ ସହାୟତାରେ ଏସବୁ ନିର୍ମାଣ କରାଯାଇଛି। ନିର୍ଭୟା ଦୋଷୀଙ୍କୁ ଏକାସାଙ୍ଗରେ ଫାଶୀ ଦିଆଯିବ ବୋଲି କୁହାଯାଉଛି।

Share