Categories: ଜାତୀୟ

ନିର୍ଭୟା ମାମଲା: ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେଲା ଦୋଷୀ ମୁକେଶଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ମାମଲାରେ ମୁକେଶ କୁମାର ସିଂ କ୍ଷମା ଆବେଦନ କରିଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହା ଖାରଜ ହୋଇଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଥିବା ସୂଚନା ମିଳିଛି। ଏହି କ୍ଷମା ଆବେଦନ ଖାରଜ ହେବାପରେ ଦୋଷୀଙ୍କୁ ଫାଶୀ ଦେବା ଲାଗି ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏଥିଲାଗି ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଦୋଷୀଙ୍କୁ ଆଉ ୧୪ ଦିନ ସମୟ ଦିଆଯାଇପାରେ। ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀ ଉପରାଜ୍ୟପାଳ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରିବା ପରେ ଏହାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଥିଲା। ଏହାପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ବିନୟ କୁମାର ରାଷ୍ଟ୍ରପତିଙ୍କ ନିକଟକୁ କ୍ଷମା ଆବେଦନ ପଠାଇଥିବା ବେଳେ ପୁଣିଥରେ ସେ ନିଜେ ଏହାକୁ ଫେରାଇ ଆଣିଥିଲେ। ଏବେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ଜେଲ ପ୍ରଶାସନ ପ୍ରସ୍ତୁତ କି ନା ସେ ନେଇ ଆଜି କୋର୍ଟରେ ଶୁଣାଣି କରାଯିବ।

Share