Categories: ଜାତୀୟ

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ ଆବେଦନ

ନୂଆଦିଲ୍ଲୀ,୨୦।୧: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ ଆଦେନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରାଯାଇଛି। ଏଥିରେ ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ କୌଣସି ନୂଆ ତଥ୍ୟ ନ ଥିବା ଦର୍ଶାଇ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଘଟଣା ସମୟରେ ଅର୍ଥାତ୍‌ ୨୦୧୨ରେ ପବନ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାସହ ତାଙ୍କର ଏହି କଥାକୁ ହାଇକୋର୍ଟ ସେ ସମୟରେ ଶୁଣି ନ ଥିଲେ ବୋଲି ମଧ୍ୟ ସେ ଦର୍ଶାଇଥିଲେ। ସୁପ୍ରିମକୋର୍ଟରେ ପବନଙ୍କ ଆବେଦନ ଖାରଜ ହୋଇଯିବା ପରେ ଏବେ ଫାଶୀ ଦେବାର ସମୟ ନିକଟତର ହୋଇଯିବା ଆଲୋଚନା ହେଲାଣି। ପବନଙ୍କ ଆବେଦନ ଖାରଜ ହୋଇଯିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏବେ ସେ ଫେବୃୟାରୀ ୧କୁ ଅପେକ୍ଷା ରଖିଛନ୍ତି। ଫେବୃୟାରୀ ୧ରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ଫାଶୀ ଦିଆଯାଉ ବୋଲି ଆଶା ଦେବୀ କହିଛନ୍ତି। ଏମିତି ହେଲେ ଆଇନ ସହ ଖେଳିବାର ପରିଣତି କ’ଣ ହୁଏ ସେମାନେ ଠିକ୍‌ ବୁଝି ପାରିବେ ବୋଲି ଆଶା ଦେବୀ ପ୍ରକାଶ କରିଛନ୍ତି।

Share