Categories: ଜାତୀୟ

ନିର୍ଭୟା ମାମଲାର ବିଚାର: ତଳ କୋର୍ଟରେ ୨୫୨ ଦିନ; ହାଇକୋର୍ଟରେ ୧୫୮ ଏବଂ ସୁପ୍ରିମ୍‌କୋର୍ଟରେ ହଜାରେ ୮ ଦିନ

ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀରେ ୭ ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ରେ ଘଟିଥିବା ନିର୍ଭୟା ମାମଲାର ବିଚାର ପାଇଁ ୨ ହଜାର ୫ଶହ ୬୬ ଦିନ ଲାଗିଛି। ଘଟଣା ଘଟିବାର ୧୮ ଦିନ ମଧ୍ୟରେ ପୋଲିସ ପକ୍ଷରୁ ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇଥିଲା। ଏହାପରେ ତଳ କୋର୍ଟରେ ଏହି ମାମଲାର ବିଚାର ୨୫୨ ଦିନ ଧରି ହୋଇଥିଲା। ସେଥିମଧ୍ୟରୁ ୩୦ ଦିନ ଚାର୍ଜସିଟ୍‌ ଉପରେ ବିଚାର କରାଯାଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ୨୨୨ ଦିନ ରାୟ ପାଇଁ ଲାଗିଥିଲା। ତଳ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ କରିଥିଲେ। ୨୪ ଦିନ ପରେ ଦୋଷୀ ହାଇକୋର୍ଟ ପହଞ୍ଚିଥିଲେ। ହାଇକୋର୍ଟରେ ଏହି ମାମଲାର ବିଚାର ୧୫୮ ଦିନ ଧରି ଚାଲିଥିଲା। ସେଥିମଧ୍ୟରୁ ୮୯ ଦିନ ଶୁଣାଣି ଏବଂ ୬୯ ଦିନ ରାୟ ଦେବାରେ ଲାଗିଥିଲା। ହାଇକୋଟ ତଳ କୋର୍ଟଙ୍କର ଦଣ୍ଡାଦେଶକୁ କାଏମ୍‌ ରଖିଥିଲେ। ଏହାପରେ ୨୦ ଦିନ ପରେ ଦୋଷୀ ସୁପ୍ରିମ୍‌କୋର୍ଟ ପହଞ୍ଚିଥିଲେ। ସୁପ୍ରିମ୍‌କୋର୍ଟରେ ଏହାର ବିଚାର ହଜାରେ ୮ ଦିନ ଧରି ଚାଲିଥିଲା। ସେଥିମଧ୍ୟରୁ କେବଳ ୯୬୯ ଦିନ କେବଳ ମାମଲା ଉପରେ ବିଚାର ଜାରି ରହିଥିଲା। ଏହାପରେ ୩୯ ଦିନ ରାୟ ଦେବାରେ ବିତି ଯାଇଥିଲା। ସର୍ବୋଚ୍ଚ ଅଦାଲତ ଫାଶୀ ଦଣ୍ଡାଦେଶକୁ କାଏମ୍‌ ରଖିଥିଲେ। ୧୮୮ ଦିନ ପରେ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ପୁନର୍ବିଚାର ଆବେଦନ କରିଥିଲେ। ଏହାପରେ ଚତୁର୍ଥ ଦୋଷୀ ପୁନର୍ବିଚାର ଆବେଦନ କରିଥିଲେ। ଏବେ ଏହି ମାମଲାର ଚୂଡ଼ାନ୍ତ ରାୟ ଜାନୁୟାରୀ ୭ରେ ପ୍ରକାଶ ପାଇବ।

Share