Categories: ଜାତୀୟ

ନିର୍ଭୟା ଗଣ ବଳାତ୍କାର ମାମଲା: ରାଜକ୍ଷମା ପାଇଁ ମନା କଲେ ଦୋଷୀ; ଏବେ ଫାଶିକୁ ଅପେକ୍ଷା !

ନୂଆଦିଲ୍ଲୀ,୫।୧୧: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଥିଲା। ସେହିପରି ସେମାନେ ସୁପ୍ରିମ୍‌କୋର୍ଟରେ ସୋମବାର ପୁନର୍ବିଚାର ଓ କ୍ୟୁରେଟିଭ୍‌ ପିଟିଶନ ଦାଖଲ କରିବାର ଥିଲା। ମାତ୍ର ଦୋଷୀମାନେ ରାଜକ୍ଷମା କିମ୍ବା ପୁନର୍ବିଚାର ଓ କ୍ୟୁରେଟିଭ୍‌ ପିଟିଶନ ଦାଖଲ କରି ନାହାଁନ୍ତି। ୪ ଦୋଷୀଙ୍କ ମଧ୍ୟରୁ ୩ ଦୋଷୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ଆବେଦନ କରିବାକୁ ମନା କରିଛନ୍ତି। ଏବେ ଜେଲ୍‌ ପ୍ରଶାସନ ପକ୍ଷରୁ ନିମ୍ନ ଅଦାଲତକୁ ସୂଚିତ କରାଯାଇ ଦୋଷୀଙ୍କୁ ଫାଶି ଦଣ୍ଡ ଦେବା ପାଇଁ କଳା ପରଓ୍ବାନା(ବ୍ଲାକ୍‌ ଓ୍ବାରେଣ୍ଟ୍‌) ଜାରି କରାଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏହା ପୂର୍ବରୁ ସୁପ୍ରିମ୍‌କୋର୍ଟ ଏହି ମାମଲାରେ ଫାଶିଦଣ୍ଡ ରୋକିବାକୁ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ଏହି ମାମଲାରେ ୬ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ରାମ ସିଂ ଜେଲ୍‌ରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେହିପରି ଏହି ମାମଲାରେ ଅଭିଯୁକ୍ତ ଜଣେ ନାବାଳକଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ଅନ୍ୟ ୪ ଦୋଷୀ ମୁକେଶ, ବିନୟ, ଅକ୍ଷୟ ଏବଂ ପଓ୍ବନଙ୍କୁ ଫାଶି ଦଣ୍ଡାଦେଶ କରାଯାଇଛି।

Share