ନିର୍ଦ୍ଦୋଷ ବାପ,ପୁଅ ଜେଲ ଭୋଗିବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ରାଇରଙ୍ଗପୁର,୨୧ା୮(ଡି.ଏନ.ଏ.): ନିଖୋଜ ଥିବା ମହିଳାଙ୍କୁ ମୃତ ଦର୍ଶାଇ ତାଙ୍କ ନିର୍ଦ୍ଦୋଷ ସ୍ବାମୀ ଏବଂ ଶ୍ୱଶୁରଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚ ଏସପିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଓ ବାଦାମପାହାଡ ଗସ୍ତ କରି ସୋମବାର ଓ ମଙ୍ଗଳବାର ୨ ଦିନ ଧରି ଘଟଣାର ତଦନ୍ତ କରି ଫେରିଛନ୍ତି। କ୍ରାଇମବ୍ରାଞ୍ଚ ଟିମ ପୁରୁଣାପାଣି ଗ୍ରାମକୁ ଯାଇଥିଲେ। ବିନା ଦୋଷରେ ଜେଲ କାଟିଥିବା ସଞ୍ଜୟ ନାଏକ ଓ ତାଙ୍କ ବାପା ମଙ୍ଗଳ ନାଏକଙ୍କ ସମେତ କେତେକ ଗ୍ରାମବାସୀଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।
ଉଲ୍ଲେଖନୀୟ ଯେ, ପୁରୁଣାପାଣି ଗ୍ରାମର ସଞ୍ଜୟଙ୍କ ସ୍ତ୍ରୀ ରାଇମଣି ଘରୁ ଚାଲିଯାଇ କଟକର ଜଣେ ବ୍ୟକ୍ତିଙ୍କ ଘରେ ରହି କାମ କରୁଥିଲେ। ପରିବାର ଲୋକେ ତାଙ୍କ ସମ୍ପର୍କରେ କିଛି ସୁରାକ ପାଇ ନ ଥିଲେ। ଏହି ପରିପ୍ରେକ୍ଷୀରେ ଗତ ଏପ୍ରିଲ ୨୭ ତାରିଖରେ ପୁରୁଣାପଣି ଗ୍ରାମ ନିକଟ ପାହାଡପୁର ଜଙ୍ଗଲର ଏକ ସ୍ଥାନରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ବାଦାମପାହାଡ ପୋଲିସ ସେଠାକୁ ଆସି ତଦନ୍ତ କରିଥିଲା। ନିଖୋଜ ରାଇମଣିଙ୍କୁ ସ୍ବାମୀ ସଞ୍ଜୟ ଓ ଶ୍ୱଶୁର ମଙ୍ଗଳ ମିଶି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଘଟଣାର କିଛି ଦିନ ପରେ ରାଇମଣି ଜୀବିତାବସ୍ଥାରେ ଘରକୁ ଫେରିବାରୁ ଏହା ସାଧାରଣରେ ଆଲୋଡନ ସୃଷ୍ଟି କରିଥିଲା। ବିନା ଦୋଷରେ ରାଇମଣିଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ପୋଲିସ ଗିରଫ କରିବା ଘଟଣା ନେଇ ନାନା ପ୍ରଶ୍ନ ଉଠିଥିଲା। ପରେ ସଞ୍ଜୟ ଓ ମଙ୍ଗଳ ଜେଲରୁ ଖଲାସ ହୋଇଥିଲେ। ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେଇଥିଲେ। ଏଠାକୁ ଆସିଥିବା କ୍ରାଇମବ୍ରାଞ୍ଚ ଟିମ ପରେ ଅତିରିକ୍ତ ଏସପି ଅମୂଲ୍ୟ କୁମାର ଧର, ରାଇରଙ୍ଗପୁର ଏସଡିପିଓ ଅଶୋକ କୁମାର ପଟ୍ଟନାୟକ ଏବଂ ଥାନା ଅଧିକାରୀଙ୍କୁ ଭେଟି ଥାନା ରେକର୍ଡପତ୍ର ଯାଞ୍ଚ କରିଥିଲେ।