ନିରାଶ ହେଲେ ବି ଥଇଥାନ: ସୁବାସଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ ରମେଶ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଖାଲି ପଡ଼ିଥିବା ୪ ରାଜ୍ୟ ସଭା ଆସନ ଲାଗି ଶନିବାର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଥିବା ସୁବାସ ସିଂ ରହିଛନ୍ତି। ରାଜ୍ୟ ସଭା ଟିକେଟ ମିଳିବା ପରେ ସୁବାସ ଅଧ୍ୟକ୍ଷ ପଦ ଛାଡ଼ିବେ। ତାଙ୍କ ସ୍ଥାନରେ ଏବେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଦାୟିତ୍ୱ ସମ୍ଭାଳିବେ। ଏଥିସହ ରମେଶଙ୍କୁ କ୍ୟାବିନେଟ୍‌ ପାହ୍ୟା ମଧ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ରାଜ୍ୟ ସଭାକୁ ଯିବା ଲାଗି ରମେଶ ଆଶାବାଦୀ ଥିଲେ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏପରିକି ଟିକେଟ୍‌ ପାଇବା ନେଇ ସେ ଆଶାବାଦୀ ଥିବା କହିଥିଲେ। ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ନବୀନଙ୍କ ଘୋଷଣା ପରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ହେଲେ ରମେଶଙ୍କୁ ଥଇଥାନ କରି ମୁହଁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି।