ନିରଞ୍ଜନଙ୍କ ଇସ୍ତଫା ନେଇ ସୁରଙ୍କ ପ୍ରତିକ୍ରିୟା: କହିଲେ ଇସ୍ତଫା ସମାଧାନ ନୁହେଁ, ସେ ନ ରହିଲେ ଦଳର ଅବସ୍ଥା ଶୋଚନୀୟ ହେବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପିସିସି ସଭାପତି ପଦରୁ ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ପରେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି। ଏ ନେଇ ପ୍ରତିକ୍ରିୟା ରଖି କଂଗ୍ରେସର ବରିଷ୍ଠ ନେତା ତଥା ଚଳିତ ନିର୍ବାଚନରେ ଜଟଣୀ ବିଧାନସଭାରୁ ବିଜୟ ଲାଭ କରିଥିବା ସୁର ରାଉତରାୟ କହିଛନ୍ତି, ଇସ୍ତଫା ସମାଧାନ ନୁହେଁ। ନିରଞ୍ଜନ ପିସିସି ସଭାପତି ନ ରହିଲେ କଂଗ୍ରେସ ଅବସ୍ଥା ଶୋଚନୀୟ ହେବ। ବେଳା ଖରାପ ଥିବାରୁ କଂଗ୍ରେସ ଲୋକ କଂଗ୍ରେସକୁ ହରାଇଛନ୍ତି। ନିରଞ୍ଜନ ଓ ରାହୁଲ ଇସ୍ତଫା ଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଏଣୁ ନିରଞ୍ଜନ ସଭାପତି ରୁହନ୍ତୁ। ଏ ନେଇ ସେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ଅନୁରୋଧ କରିବେ ବୋଲି ସୁର କହିଛନ୍ତି।

ପ୍ରକାଶଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ କେନ୍ଦ୍ର ତଥା ରାଜ୍ୟରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। ପ୍ରଥମ ଥର ଲାଗି ରାଜ୍ୟରେ କଂଗ୍ରେସ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଛି। ଏହାକୁ ନେଇ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ। ତେବେ ସେ ଦଳରେ ଅଛନ୍ତି ଓ ରହିବେ। ଆଗାମୀ ଦିନରେ ଯିଏ ବି ଦଳର ଦାୟିତ୍ୱ ନେବ ସେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।