Posted inଜାତୀୟ

ନିରଙ୍କୁଶ ନରେନ୍ଦ୍ର:ଇନ୍ଦିରାଙ୍କ ପରେ ପୂର୍ଣ୍ଣ ବହୁମତ ପାଇ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ମୋଦି

ନୂଆଦିଲ୍ଲୀ,୨୪-୫:କଳ୍ପନାଜଳ୍ପନାର ଅନ୍ତ ଘଟିଛି। ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ସତ ହୋଇଛି। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ପୁଣିଥରେ କ୍ଷମତାସୀନ ହେବାକୁ ଯାଉଛି। ଭାଜପା ୩୦୩ ଆସନ ଦଖଲ କରିଥିବାବେଳେ ଏନ୍‌ଡିଏକୁ ୩୫୩ ଆସନରେ ସଫଳତା ମିଳିଛି। କଂଗ୍ରେସକୁ ୫୨ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ଏହି ଦଳ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ୯୨ ଆସନରେ ସୀମିତ ରହିଛି। ସେହିପରି ଉଭୟ ଏନ୍‌ଡିଏ ଏବଂ ଉପାରେ ସାମିଲ ନ ଥିବା ଆଞ୍ଚଳିକ ସମେତ ଜାତୀୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ୯୭ ଆସନରେ ବିଜୟୀ ହୋଇଛନ୍ତି। ଏହି ବହୁପ୍ରତୀକ୍ଷିତ ଜନାଦେଶ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଇତିହାସ(୧୯୭୧)କୁ ଦୋହରାଇ ଦ୍ୱିତୀୟ ଥର ପାଇଁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାର ଶୀର୍ଷ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି। ଦେଶରେ ୪୮ ବର୍ଷ ପରେ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିବାରେ ମୋଦି ହେଉଛନ୍ତି ପ୍ରଥମ ନେତା। ଦେଶର ଅଧିକାଂଶ ସ୍ଥାନରେ ପଦ୍ମ ଫୁଟିବା ପରେ ଶାସକ ଦଳ ବିଜୟ ଉତ୍ସବ ମନାଉଥିବାବେଳେ ବିରୋଧୀ ଶିବିରରେ ନୈରାଶ୍ୟ ଖେଳିଯାଇଛି। ଏହାସହ ବିରୋଧୀ ଦଳଗୁଡ଼ିକର ମେଣ୍ଟ ସରକାର ଗଠନ ଉଦ୍ୟମ ଫସର ଫାଟିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରାଜୟ ସ୍ବୀକାର କରି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ବିଜୟର ଶ୍ରେୟ ମୋଦିଙ୍କ ନେତୃତ୍ୱକୁ ଦେବା ସହ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ସାଧାରଣ ନିର୍ବାଚନ ପ୍ରଧାନମନ୍ତ୍ରୀ

ମୋଦିଙ୍କ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ପାଲଟିଥିବାବେଳେ ବିରୋଧୀଙ୍କ ପକ୍ଷରୁ ତାଙ୍କୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ଅଢ଼େଇ ମାସ ଧରି ଉଭୟ ଶାସକ ଓ ବିରୋଧୀ ରଣନୀତି ସ୍ଥିର କରି କ୍ଷମତା ଅକ୍ତିଆର ଲାଗି ପ୍ରାଣପଣେ ଉଦ୍ୟମ ଜାରି ରଖିଥିଲେ। ଦେଶରେ ୭ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଏପ୍ରିଲ ୧୧ରୁ ମେ ୨୩ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବଧି ମଧ୍ୟରେ ୨୯ ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳର ୫୪୨ ଲୋକ ସଭା ଆସନ ସହ ଓଡ଼ିଶା ବିଧାନସଭାର ୧୪୬ (ପାଟକୁରା ଆସନରେ ନିର୍ବାଚନ ହୋଇନାହିଁ), ଆନ୍ଧ୍ରପ୍ରଦେଶ ୧୭୫, ଅରୁଣାଚଳ ପ୍ରଦେଶ ୬୦ ଓ ସିକିମ ବିଧାନସଭାର ୩୨ ଆସନ ଲାଗି ମଧ୍ୟ ଭୋଟ ଗ୍ରହଣ କରାଯାଇଥିଲା। ତାମିଲନାଡୁର ଭେଲୋର ଲୋକ ସଭା ଆସନରେ ବିପୁଳ ଅର୍ଥ କାରବାର ହୋଇଥିବା ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ (ଇସି) ସେଠାରେ ନିର୍ବାଚନ ବାତିଲ କରିଥିଲେ। ସାଧାରଣ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିବା ସ୍ବାଧୀନ ସମେତ ବିଭିନ୍ନ ଦଳର ମୋଟ ୮,୦୪୯ ପ୍ରାର୍ଥୀଙ୍କ ଭାଗ୍ୟ ୯୦ କୋଟି ଭୋଟରଙ୍କ ମଧ୍ୟରୁ ୬୭.୧୧% ମତଦାତା ନିର୍ଦ୍ଧାରଣ କରିଥିଲେ। ଜନାଦେଶ ଶାସକ ଏନ୍‌ଡିଏ ସପକ୍ଷରେ ଯାଇଥିବା ରେକର୍ଡ ସଂଖ୍ୟକ ମତଦାନ ହାରରୁ ଏକପ୍ରକାର ଠଉରାଇ ହେଉଥିଲା। ରବିବାର ସନ୍ଧ୍ୟାରେ ଭୋଟ ଗ୍ରହଣ ଶେଷ ହେବା ପରେ ବୁଥ୍‌ ଫେରନ୍ତା ଭୋଟରଙ୍କଠାରୁ ସଂଗୃହୀତ ସାମଗ୍ରିକ ମତକୁ ନେଇ ସର୍ଭେ ସଂସ୍ଥାଗୁଡ଼ିକ ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଥିଲା। ଏନ୍‌ଡିଏ ପ୍ରାୟ ୩୦୦, ଉପା ୧୨୭ ଏବଂ ଅନ୍ୟାନ୍ୟ ୧୧୯ ଆସନ ଦଖଲ କରିବେ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ଭବିଷ୍ୟବାଣୀ କରିଥିଲେ। ଅନ୍ୟପକ୍ଷରେ ମୋଦି ବିରୋଧୀ ମେଣ୍ଟ ଗଠନ ପାଇଁ ଉଦ୍ୟମ ଚଳାଇଥିବା ବିରୋଧୀ ଦଳଗୁଡ଼ିକ ସମ୍ଭାବ୍ୟ ପରାଜୟକୁ ନେଇ ମର୍ମାହତ ହୋଇ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)କୁ ଦୋଷ ଦେବାରେ ଲାଗିଥିଲେ। ଏହାସତ୍ତ୍ୱେ ଏନ୍‌ଡିଏ କ୍ଷମତାକୁ ନ ଫେରିଲେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ଓ ସରକାରର ରୂପରେଖ କିପରି ହେବ ତାକୁ ନେଇ ମଧ୍ୟ ହିସାବକିତାବ ଆରମ୍ଭ ହୋଇଯାଇଥିଲା। ସେପଟେ ଭୋଟ ଗଣତି ପାଇଁ ମତଦାତାଙ୍କଠାରୁ ନେଇ ନେତାଙ୍କ ଯାଏ ସବୁଠି ଉତ୍ସାହ ଓ ଉତ୍କଣ୍ଠା ଲାଗିରହିଥିଲା। ଶେଷରେ ସେହି ବହୁପ୍ରତୀକ୍ଷିତ ସମୟ ଆସିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଣତି କେନ୍ଦ୍ରଗୁଡ଼ିକରେ ଗୁରୁବାର ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା।
ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସବିଶେଷ ସୂଚନାନୁସାରେ ଭାଜପା ୩୦୩ ଆସନ ଦଖଲ କରି ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଛି। ଏନ୍‌ଡିଏକୁ ୩୫୩ ଆସନରେ ସଫଳତା ମିଳିଛି। ମହାରାଷ୍ଟ୍ରରେ ସହଯୋଗୀ ଦଳ ଶିବସେନାକୁ ୧୮, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ) ୧୬, କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ୬, ପଞ୍ଜାବରେ ପ୍ରକାଶ ସିଂ ବାଦଲଙ୍କ ନେତୃତ୍ୱାଧୀନ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ୨, ଝାଡ଼ଖଣ୍ଡରେ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ୍‌ (ଏଜେଏସ୍‌ୟୁ) ୧ ଓ ତାମିଲନାଡୁରେ କ୍ଷମତାସୀନ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ୍‌ ମୁନେତ୍ରା ଗାଜାଗାମ୍‌ (ଏଆଇଏଡିଏମ୍‌କେ)କୁ ଗୋଟିଏ ଆସନ ମିଳିଛି। ସେହିପରି ଏନ୍‌ଡିଏର ଅନ୍ୟ ଅଂଶୀଦାର ଏଡି(ଏସ୍‌) ୨ଟି ଏବଂ ଏନ୍‌ପିପି, ଆର୍‌ଏଲ୍‌ଟିପି, ଏନ୍‌ଡିପିପି ଏବଂ ଏମ୍‌ଏନ୍‌ଏଫ୍‌ ପ୍ରାର୍ଥୀ ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଛନ୍ତି। ସେହିପରି ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ୫୨ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ଉପା ଖାତାକୁ ଯାଇଛି ୯୨ ସିଟ୍‌। ତାମିଲନାଡୁରେ ଏଆଇଏଡିଏମ୍‌କେ ପାଇଁ ବିପର୍ଯ୍ୟୟ ଆଣିଦେଇଥିବା ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଏଥର ୨୩ ଆସନ ଦଖଲ କରି ଆଗରେ ରହିଛି। ମହାରାଷ୍ଟ୍ରରେ ଶରଦ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ୫ ଆସନରେ ସଫଳତା ମିଳିଥିବାବେଳେ ଇଣ୍ଡିଆନ୍‌ ୟୁନିୟନ୍‌ ମୁସଲିମ୍‌ ଲିଗ୍‌ (ଆଇୟୁଏମ୍‌ଏଲ୍‌) ଏବଂ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ୩ଟି ଲେଖାଏ ସିଟ୍‌ ଅକ୍ତିଆର କରିଛନ୍ତି। ଉପା ସହଯୋଗୀ ଜେଏମ୍‌ଏମ୍‌, କେସିଏମ୍‌, ଭିସିକେ, ଆର୍‌ଏସ୍‌ପି, ଜେଡିଏସ୍‌ ଏବଂ ସମର୍ଥତ୍ତ ସ୍ବାଧୀନ ପ୍ରର୍ଥୀଙ୍କୁ ଗୋଟିଏ ଲେଖାଏ ଆସନ ମିଳିଛି।
ଅନ୍ୟପକ୍ଷରେ କୌଣସି ମେଣ୍ଟରେ ସାମିଲ ନ ହୋଇ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମାତ୍ର ଦୁଇଟି ଆସନ ହାତେଇବାରେ ସକ୍ଷମ ହୋଇଛି। ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଅନ୍ୟତମ ଦାବିଦାର ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୁର୍ଗ ଭେଦ କରିବାରେ ଶାହ-ମୋଦି ଯୋଡ଼ିକୁ ସଫଳତା ମିଳିଛି। ଗୈରିକ ଦଳ ଏଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ୨୨ ଆସନରେ ସୀମିତ ରହିବାକୁ ବାଧ୍ୟ କରିଛି। ଓଡ଼ିଶାରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି) ୧୨ ଲୋକ ସଭା ଆସନ ଦଖଲ କରିଛି। ସେହିପରି ମୋଦିଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଉତ୍ତରପ୍ରଦେଶରେ ଅଣ୍ଟାଭିଡ଼ିଥିବା ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି), ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏବଂ ଅଜିତ ସିଂଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି)କୁ ଆଶାନୁରୂପ ସଫଳତା ମିଳିପାରି ନାହିଁ। ଏଠାରେ ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି ମହାମେଣ୍ଟକୁ ୧୬ ଆସନରେ ମନ ବୁଝାଇବାକୁ ପଡ଼ିଛି। ତୃତୀୟ ସାମ୍ମୁଖ୍ୟର ନେତୃତ୍ୱ ନେଇ ଦିଲ୍ଲୀରେ କ୍ଷମତାର ସ୍ବାଦ ଚାଖିବା ପାଇଁ ଉଦ୍ୟମ ଚଳାଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ୯ ଆସନ ଦଖଲ କରିଛି। ସିପିଆଇଏମ୍‌କୁ ୩ ଓ ସିପିଆଇକୁ ୨ ଆସନ ଦେଇ ବାମପନ୍ଥୀ ଦଳଗୁଡ଼ିକୁ ମଧ୍ୟ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି ନିଜ ଆସନ ହାଇଦ୍ରାବାଦରେ ବିଜୟୀ ହୋଇଥିବାବେଳେ ତାଙ୍କ ଦଳ ମୋଟି ୨ଟି ଆସନ ଜିତିଛି। ଏଆଇୟୁଡିଏଫ୍‌ ମୁଖ୍ୟ ବଦ୍‌ରୁଦ୍ଦିନ୍‌ ଅଜ୍‌ମଲ ଆସାମର ଧୁବ୍ରି ଆସନରେ ବିଜୟୀ ହୋଇଛନ୍ତି। ସେହିପରି ୩ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ଏନ୍‌ପିଏଫ୍‌ ଏବଂ ଏସ୍‌ଡିଏଫ୍‌ ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଛନ୍ତି। ତେବେ ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଏଥର ଜନାଦେଶ ଝଟକା ଦେଇଛି। ଜାତୀୟ ରାଜଧାନୀର ସମସ୍ତ ୭ଟି ଆସନ ଭାଜପା ହାତକୁ ଯାଇଛି।
ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ୫୪୩ ଆସନ ମଧ୍ୟରୁ ଭାଜପା ୨୮୩ (କୁହୁକ ସଂଖ୍ୟା ୨୭୨ଠାରୁ ୧୧ ଅଧିକ) ଆସନ ଦଖଲ କରି ୩ ଦଶନ୍ଧି ମଧ୍ୟରେ ପ୍ରଥମ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା। ସେହିପରି ଏନ୍‌ଡିଏକୁ ୩୩୭ ଆସନରେ ସଫଳତା ମିଳିଥିଲା। ବିରୋଧୀ କଂଗ୍ରେସକୁ ମାତ୍ର ୪୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

ଲୋକସଭାରେ ପ୍ରବଳ ହଟ୍ଟଗୋଳ: ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଗଲେ ମହିଳା ଏମପି

ନୂଆଦିଲ୍ଲୀ,୪ା୨: ବୁଧବାର ଲୋକସଭାରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିପାରିନାହାନ୍ତି ପ୍ରଧାନମନ୍ତ୍ରୀ…

ମଝି ଆକାଶରେ ବିମାନର ଇଞ୍ଜିନର ଲାଗିଲା ନିଆଁ, କୋଲକାତାରେ….

କୋଲକାତା,୪ା୨: ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ବିମାନଟି କାଠମାଣ୍ଡୁରୁ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରୁଥିଲା। ତୁର୍କୀସ୍ ଏୟାରଲାଇନ୍ସର…

ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଅନଲାଇନ କୋଚିଂ: SC, OBC ଆଦି ବର୍ଗଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୪ା୨: ଦେଶର ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ମାଗଣା ଅନଲାଇନ କୋଚିଂ ଦେବେ ସରକାର। ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀଙ୍କୁ ଶିକ୍ଷା…

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୪ା୨: ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତବର୍ଷ ଫେବୃଆରୀ ୧୩ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri